Unknown

 

 

 

 

 

 

 

 

 

 

 

ବଣ ରାଇଜର କଥା

ଶ୍ରୀ ବଟକୃଷ୍ଣ ସ୍ଵାଇଁ

 

ସୂଚୀପତ୍ର

 

୧.

ହେଟା ପାଇଲା ପାନେ

୨.

ଆରେ ବିଲୁଆ ଆ

୩.

ଗଧିଆ ଓ କଟାସ

୪.

ଭାଲୁ ମଉସାକୁ କମ୍ପଜର

୫.

ବିଲୁଆର ଅଙ୍ଗୁର ଖିଆ

☆☆☆

 

ଉତ୍ସର୍ଗ

 

ପପୁ

 

ସ୍ନେହ ନେବୁ । ଯେତେବେଳେ ମୁଁ କଲମ ଧରି ଗପ ଲେଖିବସେ, ସେତେବେଳେ ତୁ ମୋତେ କେତେ ହଇରାଣ କରୁ । ମୋ ହାତରୁ କଲମ ଛଡ଼ାଇ ନେଉ । କାଗଜକୁ ନେଇ ଚିରି ପକାଉ । ଜେଜେ, ‘‘ଏଇତା ଦେ” କହୁ । ନଦେଲେ କାନ୍ଦି ଗଡ଼ିଯାଉ । ତୁ ହଇରାଣ କଲେ ବି ମୁଁ ବ୍ୟସ୍ତ ହୁଏ ନାହିଁ । ତୋ ହସ ହସ ମୁହଁରୁ ମୁଁ ପ୍ରରୋକ୍ଷରେ ପ୍ରେରଣା ପାଇଥାଏ । ତୋତେ ମିଛିମିଛିକା ଯେଉଁ ଗପ କହେ, ସେହି ଗପକୁ ଏହି ବହିରେ ସ୍ଥାନ ଦେଇଛି । ତୁ ବଡ଼ ହେଲେ ଏ ବହି ପଢ଼ି ଖୁସି ହେବୁ । ବର୍ତ୍ତମାନ ଏହି ବହିରେ ଥିବା ବିଭିନ୍ନ ଛବି ଦେଖିବୁ । ତୋ ମୁହଁକୁ ଚାହିଁ ଏ ବହିର ଗପଗୁଡ଼ିକ ଲେଖିଥିବାରୁ ତୋରି ହାତରେ ଏହି “ବଣ ରାଇଜର କଥା” ବହିଟିକୁ ଦେଲି ।

 

।। ଇତି ।।

ତୋର

“ଜେଜେ”

☆☆☆

 

ହେଟା ପାଇଲା ପାନେ

 

ଅଗନା ଅଗନୀ ବନସ୍ତ । ସେହ ବନସ୍ତରେ ରାଜା ହେଉଛି ସିଂହ । ବଣର ଅନ୍ୟ ଜନ୍ତୁ ସବୁ ତା’ ପାଖରେ କିଙ୍କର ପରି । ସିଂହର ଭୟଙ୍କର କୋପଦୃଷ୍ଟି ଦେଖିଲେ ଜୀବଜନ୍ତୁମାନେ ଭୟରେ ଥରହର ହୁଅନ୍ତି । ଯାହା ଉପରେ ଥରେ ରଜାଙ୍କର କୋପଦୃଷ୍ଟି ପଡ଼ିଯାଏ, ତାକୁ ଆଉ ନିସ୍ତାର ମିଳେ ନାହିଁ । ଗୋଡ଼େଇ ଗୋଡ଼େଇ ଗୋଟା ଗୋଟା କରି ଖାଇ ତା’ର ବଂଶ ନ ବୁଡ଼ାଇ ସେ ଛାଡ଼େ ନାହଁ । ବାଘ, ହାତୀ, ଭାଲୁ, ହେଟା ଇତ୍ୟାଦି ଜୀବମାନେ ସବୁବେଳେ ତା’ ପାଖରେ ଯୋଡ଼ହସ୍ତ । ଆଉ ହରିଣ, ସମ୍ବର, ଠେକୁଆ, କୁଟୁରାଙ୍କ କଥା ପଚାରେ କିଏ ? ଏଗୁଡ଼ାକ ତ ରାଜାଙ୍କର ନିତିଦିନିଆ ଜଳଖିଆ ସାମଗ୍ରୀ ।

 

ସିଂହ ରାଜାଙ୍କ ନିକଟରେ ହାତୀ ମନ୍ତ୍ରୀ, ବାଘ ସେନାପତି, ଭାଲୁ କଟୁଆଳ ଓ ହେଟା ଦୂତ ରୂପେ କାମ କରନ୍ତି । ରାଜାଙ୍କ ଆଦେଶରେ ହେଟା ପ୍ରତିଦିନ ସକାଳର ଜଳଖିଆ ପାଇଁ ପୁଞ୍ଜାଏ ଛଅଟା କୁଟୁରା, ଦି’ଗଣ୍ଡା ଠେକୁଆ କିମ୍ବା ଦୁଇ ତିନୋଟି ହରିଣଙ୍କୁ ଧରି ଆଣେ । ସିଂହ ଜଳଖିଆ ଖାଇସାରି ମୁହଁ ଚାରିପଟେ ଥରେ ଦୁଇଥର ଜିଭଟାକୁ ବୁଲାଇ ଆଣି ମନ୍ତ୍ରୀ ହାତୀଠାରୁ ସବୁ ରାଜ୍ୟର ଖବର ବୁଝେ । ହାତୀ ତ ନିରାମିଷାସୀ । ସିଂହ ଯେତେ ଜୀବଜନ୍ତୁ ମାରି ଖାଇଲେ ବି ତା’ର ସେ ଆଡ଼କୁ ନଜର ନ ଥାଏ ।

 

ବାଘ ସେନାପତି ରାଜ୍ୟ ଭିତରକୁ ଯୁଆଡ଼େ ଟୁରରେ ଯାଏ, ସିଆଡ଼େ ଖାଏ । ତା’ ବିରୋଧରେ ରାଜାଙ୍କ ଆଗରେ ଗୁହାରି କରିବାକୁ ସାହସ କାହାର ଅଛି ? ଭାଲୁ କଟୁଆଳ ପହରା ଦେଲାବେଳେ ରାଜାଙ୍କ ପାଇଁ ଆସୁଥିବା ଜଲଖିଆରୁ ଗୋଟା ଦୁଇଟା ଓଟାରି ନେଇ ତା’ ଦେଖିଲା କାମ କରି ଚଳିଯାଏ । ହେଲେ ହେଟା ବିଚରା ବଡ଼ ଅସୁବିଧାରେ ପଡ଼େ । ଦୂତ ହେଉଛି ରାଜ୍ୟର ସର୍ବନିମ୍ନ କର୍ମଚାରୀ । ତାକୁ ସମସ୍ତେ ହୀନ ଚକ୍ଷୁରେ ଦେଖିଥାଆନ୍ତି । ବିଚରା କେଉଁ ଦିନ ରାଜାଙ୍କ ବଳକା ଅଇଁଠା ଖାଏ ତ କେଉଁ ଦିନ ଉପବାସରେ ରହେ ।

Image

ତା’ପ୍ରତି ଏଭଳି ଅବହେଳା ଓ ଦୁର୍ବ୍ୟବହାର କରା ଯାଉଥିବାର ଜାଣି ସେ ବେଳେବେଳେ ଅତିଷ୍ଠ ହୋଇପଡ଼େ । ଥରେ ସେ ଖବର ନେଇ ଅନ୍ୟ ଏକ ରାଜ୍ୟକୁ ଯାଉଥିଲା । ବାଟରେ ଗଲାବେଳେ କେତେ ଛୋଟ ଛୋଟ ବୁଦୁବୁଦୁକିଆ ଜଙ୍ଗଲ, କିଆ ଭେଡ଼ା ଦେଖୁଥାଏ । ସେଠାରେ ନେଉଳ, ସାପ, ଠେକୁଆ, ବିଲୁଆ, କୋକିଶିଆଳି ସବୁ ବେଶ୍ ସୁଖରେ ଥାଆନ୍ତି । ସିଂହ ରାଜାର ଆଦେଶ ପ୍ରତି କାହାରି ମନରେ ଭୟ ନ ଥାଏ । ସେମାନେ ସ୍ଵାଧୀନ ଜୀବନଯାପନ କରୁଥାଆନ୍ତି । ଏହା ଦେଖି ହେଟା ଭାବିଲା, ମୁଁ ଆଉ ବଣକୁ ଫେରିଯାଇ ସିଂହ ପାଖରେ ଗୋଲମି କରିବି କାହିଁକି ? ଏହି ଅଞ୍ଚଳ ତ ବଣରାଇଜଠାରୁ ଖୁବ୍ ଦୂର । ତେଣୁ ଏଠିକାର ଜୀବଙ୍କୁ କହିବି ସିଂହ ମୋତେ ତୁମ ଅଞ୍ଚଳର ରାଜା କରି ପଠାଇଛନ୍ତି । ତୁମ୍ଭେମାନେ ସବୁ ଏଣିକି ମୋରି ଆଦେଶରେ ଚଳିବ । ଯିଏ ମୋ ଆଦେଶ ଅମାନ୍ୟ କରିବ, ତାକୁ ସଙ୍ଗେ ସଙ୍ଗେ ଘୋଷାରି ଘୋଷାରି ସିଂହ ରାଜାଙ୍କ ପାଖକୁ ନେଇ ଯିବି ।

 

ସେ ସବୁ ଜୀବଙ୍କୁ ଗୋଟିଏ ସ୍ଥାନକୁ ଡକାଇ ଏକଥା କହିଦେଲା । ସେମାନଙ୍କ ଭିତରେ ବିଲୁଆଟା ଚତୁର ଥିବାର ଦେଖି ତାକୁ ତାହାର ମନ୍ତ୍ରୀ କରିଦେଲା । ତା’ ଜରିଆରେ ପାଖ ଗାଆଁର ଛେଳି, ମେଣ୍ଢା, ଘୁଷୁରି, ବାଛୁରି ଇତ୍ୟାଦିଙ୍କୁ ଗୋଟିଏ ଗୋଟିଏ କରି ଆଣି ଖାଇ ବେଶ୍‍ ଆରାମରେ ସେଇଠି ରହିଗଲା । ସିଂହ ରାଜାଙ୍କ କଥା ମନରୁ ପୂରା ଭୁଲିଗଲା । ଛୋଟ ବୁଦୁବୁଦୁକିଆ ଜଙ୍ଗଲ ଓ କିଆ ଗୋହିରିରେ ଥିବା ଜୀବମାନେ ତାଙ୍କ ନୂଆ ‘ହେଟା’ ରାଜାଙ୍କ ଆଦେଶରେ ସବୁ କାମ କଲେ । କେବେହେଲେ ହେଟା ବାହାରକୁ ଶିକାର କରିବାକୁ ନ ଯାଇ ତା’ ରାଜ୍ୟ ଭିତରେ ଥିବା ଠେକୁଆ, କଟାସ ଇତ୍ୟାଦିଙ୍କୁ ଶିକାର କରି ଖାଇଲା । ସିଂହଠାରୁ ରାଜାଙ୍କ କାଇଦା ସବୁ ତ ଜାଣିଯାଇଥିଲା । ତେଣୁ ତା’ର କିଛି ଅସୁବଧା ହେଲା ନାହିଁ ।

Image

ସବୁଦିନ ସମାନ ନ ଥାଏ । ସୁଖ ପରେ ଦୁଃଖ ଓ ଦୁଃଖ ପରେ ସୁଖ ଜଗତର ଚିରନ୍ତନ ରୀତି । ଥରେ ପ୍ରବଳ ବର୍ଷା ହେଲା । ନଈରେ ପାଣି ଭରି ଯିବାରୁ ଖୁବ୍ ଜୋରରେ ଏକ ନଈ ବଢ଼ି ହେଲା । ବନ୍ଧ ଭାଙ୍ଗି ଗାଁ-ଗଣ୍ଡା, ବିଲବାଡ଼ି, କିଆ ଗୋହିରି ଓ ଛୋଟ ବୁଦୁବୁଦୁକିଆ ଜଙ୍ଗଲରେ ପାଣି ଭରିଗଲା । ଗୋରୁଗାଈ, ଜୀବଜନ୍ତୁ ସବୁ ପାଣି ସୁଅରେ ଭାସିଗଲେ । ସେମାନଙ୍କ ସହ ହେଟା ମଧ୍ୟ ପାଣି ସୁଅରେ ଭାସିଗଲା ।

 

କିଛିଦିନ ପରେ ସେ ଗୋଟାଏ ଉଚ୍ଚ ସ୍ଥାନରେ ଲାଖି ରହିଗଲା । ଧୀରେ ଧୀରେ ନଈରୁ ପାଣି କମିଗଲା । ହେଟା ବିଚରା ଭୋକ ଉପାସରେ ଆଉଟି ପାଉଟି ହେଲା । ଖାଇବାକୁ କେଉଁ ଜନ୍ତୁ ଅଛନ୍ତି ଯେ ଖାଇବ ? ସବୁ ତ ପାଣି ସୁଅରେ ଭାସିଯାଇ ସଫା ହୋଇ ଯାଇଛନ୍ତି । ସେ ଭୋକ ଉପାସରେ ଘୁଷୁଡ଼ି ଘୁଷୁଡ଼ି ନଈ କୂଳେ କୂଳେ ଆସି ସେହି କିଆଗୋହିରି ଓ ଛୋଟ ଜଙ୍ଗଲ ପାଖରେ ପହଞ୍ଚିଲା । ଦି’ ଚାରିଦିନ ରହି ତା’ ରାଜ୍ୟଟା ସାରା ବୁଲିଲା । ହେଲେ ଗୋଟାଏ ହେଲେ ଜୀବ ତା’ ଆଖିରେ ପଡ଼ିଲେ ନାହିଁ । ଗାଆଁ ଗଣ୍ଡା ଶୂନଶାନ୍ । ଭୋକରେ ଆଉ କେତେଦିନ ରହିବ-? ଶେଷରେ ସିଂହ ରାଜାଙ୍କ ପାଖକୁ ଫେରିଯିବା ପାଇଁ ଠିକ୍ କଲା ।

 

ବହୁ କଷ୍ଟରେ ଯାଇଁ ସେ ସିଂହ ପାଖରେ ପହଞ୍ଚିଲା । ହେଟା ଖାଇବା ପିଇବା ବିନା ଏପରି ଦୁର୍ବଳ ହୋଇଯାଇଥିଲା ଯେ ସିଂହ ତାକୁ ପ୍ରଥମେ ଚିହ୍ନିପାରିଲା ନାହିଁ । ହେଟା ଏହା ଦେଖି କହିଲା ମଣିମା ! ମୁଁ ଆପଣଙ୍କ ଆଜ୍ଞାଧୀନ ଭୃତ୍ୟ ଦୂତ ହେଟା । ମୋତେ କ’ଣ ଚିହ୍ନି ପାରୁ ନାହାନ୍ତି-? ସିଂହ ଗର୍ଜନ କରି ରାଗରେ କହିଲା, କିରେ ବଦମାସ । ତୁ ଖବର ନେଇ ଯାଇଥିଲୁ ଯେ ଆଜିଯାଏ ଥିଲୁ କେଉଁଠି ?

 

ହେଟା ବିନୟର ସହିତ କହିଲା ଆଜ୍ଞା ! କ’ଣ କହିବି ? ସେ ରାଜ୍ୟରେ ଖବର ଦେଇ ଆସିଲା ବେଳକୁ ନଈ ବଢ଼ି ହେଲା । ମୁଁ ପାଣି ସୁଅରେ ଭାସିଯାଇ ଆପଣଙ୍କ ଦୟାରୁ ଗୋଟିଏ ଉଚ୍ଚ ସ୍ଥାନରେ ଲାଖି ଯାଇଥିଲି । ଭୋକ, ଉପାସରେ ରହି ଘୁଷୁଡ଼ି ଘୁଷୁଡ଼ି ଆପଣଙ୍କୁ ଖବର ଦେବାକୁ ଓ ଦେଖା କରିବାକୁ ଧାଇଁ ଆସିଛି । କ’ଣ ମୋତେ ଆଗ କିଛି ଖାଇବାକୁ ଦିଅନ୍ତୁ ଆଜ୍ଞା ! ସିଂହ ମଧ୍ୟ ନଈବଢ଼ି ହୋଇଥିବାର ସମ୍ବାଦ ଖବରକାଗଜରୁ ପଢ଼ି ଆଗରୁ ଜାଣିଥିଲା । ସେ କହିଲା–ହଉ ହଉ, ଆଉ ଚିନ୍ତାକରନା । ଯା–ସେଠାରେ ଯେଉଁ ଧଳା ଗାଈଟା ଚରୁଛି, ତାକୁ ଖାଇବୁ-

 

ହେଟା ରାଜାଙ୍କ ଆଦେଶ ପାଇ ଖାଇବା ଆଶାରେ ଧଳା ଗାଈ ପାଖକୁ ଧାଇଁଲା । ଗାଈ ମଧ୍ୟ ଏଭଳି ଏକ ଦୁର୍ବଳ ହାଡ଼ କଙ୍କାଳ ସାର ହେଟାକୁ ଦେଖି ଭୟ ନକରି ଆରାମରେ ଘାସ ଚରିବାରେ ଲାଗିଥାଏ । ହେଟା ଗାଈ ପାଖକୁ ଯାଇ କହିଲା, ହେ ଗାଈ ! ରାଜାଙ୍କ ଆଦେଶ ଆଜି ମୁଁ ତୋତେ ଖାଇବି । ଗାଈ କହିଲା, କାହିଁକି ? ମୁଁ କ’ଣ ତୁମ ମୁଲକର ଜନ୍ତୁ କି ? ପାଖ ଗାଆଁରୁ ଘାସ ଖାଇବା ଆଶାରେ ଇଆଡ଼େ ଟିକେ ଆସିଥିଲି । ଆଉ ରାଜା ତୋତେ ଆଦେଶ ଦେଇ ଦେଲେ ମୋତେ ଖାଇବାକୁ !

 

ହେଟା କହିଲା, ମୋ ପେଟ ଭୋକରେ କଅଁ-କଅଁ ହେଉଛି । ତୋ ଯୁକ୍ତି ଶୁଣିବାକୁ ମୋର ଆଉ ବେଳ ନାହଁ କି ଧୈର୍ଯ୍ୟ ମଧ୍ୟ ନାହିଁ । ଆସିଲୁ ଇଆଡ଼େ, ମୁଁ ତୋତେ ଆଗେ ଖାଏ । ଗାଈ କହିଲା ହଉ । ସେଇ ପଛଆଡ଼ୁ ପଛ ଗୋଡ଼ର ଖୁରା ପାଖରୁ ଆଗ ଖାଇ ଖାଇ ଆ । ହେଟା ପଛ ଗୋଡ଼ର ଖୁରା ପାଖରେ ଯେମିତି ମୁହଁ ଲଗେଇଛି, ଗାଈ ମାରିଦେଲା ତା’ ଥୋମଣିକୁ ଏକ ପଛୁଆ ନାତ ଯେ ହେଟା ସେଇଠି ଚିତ୍‍ପଟାଙ୍ଗ୍ ହୋଇ ପଡ଼ିଛି । ଗାଈ ବଣରୁ ଦୌଡ଼ି ଗାଁ ଭିତରକୁ ପଳାଇ ଗଲା ।

 

କିଛିକ୍ଷଣ ପରେ ହେଟାର ଚେତା ଫେରିବାରୁ ସିଂହ ରାଜାଙ୍କ ପାଖକୁ ଯାଇଁ କହିଲା ଆଜ୍ଞା ପ୍ରବଳ ଭୋକ । ସିଂହ କହିଲା, କିରେ ! ଗାଈଟାରେ କ’ଣ ତୋର ପେଟ ପୂରିଲା ନାହଁ ? ହେଟା କହିଲା ନାହିଁ ଆଜ୍ଞା, ଗାଈଟା ମୋତେ ନାତ ମାରି ତା’ ଗାଁକୁ ଦୌଡ଼ି ପଳାଇଲା । ମୁଁ ଦୁର୍ବଳ ହୋଇ ପଡ଼ିଥିବାରୁ ତା’ ପିଛା ଧରିପାରିଲି ନାହିଁ । ମୋତେ କିଛି ଶସ୍ତା ଚିଜ ଖାଇବାକୁ ଦିଅନ୍ତୁ । ସେମାନଙ୍କୁ ପ୍ରଥମେ ଖାଇ ଦେହରେ ଟିକେ ବଳ ସଞ୍ଚାର କଲେ ପରେ ପଛେ ଗାଈ, ହରିଣ, ସମ୍ବର ଇତ୍ୟାଦିଙ୍କୁ ଗୋଡ଼ାଇ ଖାଇବି । ସିଂହ କହିଲା, ହେଉ ଯା । ସେଠାରେ ଯେଉଁ ଧଳା ଠେକୁଆଟା ଘାସ ଖାଉଛି, ତାକୁ ଖାଇବୁ । ସେଠାରେ ଠେକୁଆ, କୁଟୁରା, ବଣ କୁକୁଡ଼ାଙ୍କୁ କିଛି ଦିନ ଖାଇ ଆଗ ତୋର ବଳ ହୋଇଯାଉ । ପରେ ଅନ୍ୟ କଥା ଦେଖାଯିବ ।

Image

ହେଟା ଖୁସି ହୋଇ ଠେକୁଆ ପାଖକୁ ଖାଇବା ଆଶାରେ ଦୌଡ଼ିଲା । ତା’ର ଦୁର୍ବଳ ରୂପ ଦେଖି ଠେକୁଆ କହିଲା ଏଇଟା କାହିଁକି ମୋ ପାଖକୁ ଆସୁଛି ମଁ ? ହେଟା ପହଞ୍ଚିଯାଇ କହିଲା ଠେକୁଆରେ ! ମୋ ପାଖକୁ ଆ । ତୋତେ ମୁଁ ଖାଇବି । ଏହା ରାଜାଙ୍କର ଆଦେଶ ।

 

ଠେକୁଆ ଆଉ ତାକୁ ପୂର୍ବପରି ଭୟ ନ କରି କହିଲା–କାହିଁକି ? ରାଜା ପରା ନିରୀହ ଜୀବମାନଙ୍କୁ ନ ଖାଇବାକୁ ଏଇ କିଛିଦିନ ପୂର୍ବରୁ ସମସ୍ତଙ୍କୁ ଆଦେଶ ଦେଇଛନ୍ତି । ଆଉ ତୋତେ ପୁଣି କିପରି ଖାଇବାକୁ ଆଦେଶ ଦେଲେ ? ହେଟା କହିଲା, ମୁଁ ଟିକେ ଦୁର୍ବଳ ହୋଇଯାଇଥିବାରୁ କବିରାଜ ତୋ ପରି ଛୋଟ ଜୀବମାନଙ୍କୁ ଖାଇବାକୁ ଓଷଦ ଲେଖିଛନ୍ତି । ତେଣୁ ରାଜା ଏପରି ଆଦେଶ ଦେବାକୁ ବାଧ୍ୟ ହୋଇଛନ୍ତି । ଆଉ ଡେରି ନ କରି ଭଲରେ ଭଲରେ ପାଖକୁ ଚାଲିଆ । ଠେକୁଆ କହିଲା ହଉ, ମୋତେ ଖା’ । ହେଲେ ତୁ ତ ଶିକାରୀ ଜନ୍ତୁ । ମୁଁ ଯାଇ ତୋ ପାଟିରେ ଆପେ ଆପେ ପଶିଗଲେ ତୋତେ ଚୋବାଇ ଖାଇବାକୁ କ’ଣ ଭଲ ଲାଗିବ ? ପୂର୍ବେ ଯେମିତି ଆମେ ଆଗରେ ଆଗରେ ଦୌଡ଼ୁ ଓ ତୁମେ ଆମ ପଛେ ପଛେ ଦୌଡ଼ି ଆମକୁ ମାଡ଼ିବସି ଖାଅ, ସେପରି କଲେ ସିନା ଭଲ ଲାଗିବ । ମଜା ହେବ ।

 

ହେଟା କହିଲା, ହଁ ସତ କହିଛୁ । ଆଚ୍ଛା ତୁ ଖେପାଏ ଦି’ ଖେପା ଅଳ୍ପ ଅଳ୍ପ କରି ଡେଇଁଲୁ-। ମୁଁ ତୋ ପଛରେ ଦୌଡ଼ୁଛି । ହେଲେ ବେଶୀ ଡେଇଁବୁ ନାହିଁ । ମୁଁ ଦୁର୍ବଳ । ମୁଁ ତୋ ପଛରେ ବେଶୀ ଦୌଡ଼ି ପାରିବି ନାହିଁ ।

 

ଏକଥା ଶୁଣି ଠେକୁଆ ମାରିଲା ଡିଆଁ । ହେଟା ଅଳ୍ପ ବାଟ ତା’ ପଛରେ ଦୌଡ଼ିବା ଫଳରେ ଧଇଁସଇଁ ହୋଇଗଲା । ଆଉ ଆଗକୁ ଦୌଡ଼ି ପାରିଲା ନାହିଁ । ଠେକୁଆ ଆଗକୁ ଦୌଡ଼ି ପଳାଇ ବୁଦାତଳେ କେଉଁଠି ଛପିଗଲା । ହେଟା ବିଚରା ଭୋକ ଉପାସରେ ପଡ଼ି ପଡ଼ି ଶେଷରେ ମଲା ।

☆☆☆

 

ଆ’ରେ ବିଲୁଆ ଆ’

 

ଗାଆଁଟିର ନାମ ବଇଷିମ ସାହି । ସେହି ସାହିରେ ଗୋଟିଏ ଚାଳିଆ ଘରେ ରହନ୍ତି ଭୀମ ଗୋସେଇଁ । ତାଙ୍କ ସ୍ତ୍ରୀ ଖେତେରା ମା’ ଭାରି ଗେହ୍ଲା ବସରରେ ବଢ଼େଇଛନ୍ତି ଖେତେରାକୁ । ତା’ ଆଗରୁ କେତୋଟି ପିଲା ହୋଇ ହରିପ୍ରାପ୍ତି ହୋଇଯାଇଥିବାରୁ ସେ ଖେତେରାକୁ କ୍ଷେତ୍ରପାଳ ମହାଦେବଙ୍କ ନାମରେ ବାବାଜି କରିଦେଇଛନ୍ତି । ତାଙ୍କ ଦୟାରୁ ଏଇଟି ରହିଗଲେ ପରେ ବିକାକିଣା କରି ଆଣିବେ ଖେତେରାକୁ ।

 

ସେ ସିନା ଏତେ ବଡ଼ ହୋଇଗଲାଣି । ପିଲାଦିନୁ ତା’ ମାଆ ତା’ପାଇଁ କେତେ ଦୁଃଖ ସହିଛି, ତାହା ସବୁ ଆମେ ନିଜ ଆଖିରେ ଦେଖିଛୁ । ଖେତେରା ପିଲାଦିନେ ଭାରି ଅଝଟିଆଟାଏ ଥିଲା । ଖାଇବି ନାହିଁ କହିଛି ତ ଆଉ ଖାଇବ ନାହିଁ । ଯେତେ ବୁଝାବୁଝି କଲେ ସେଇ ଗୋଟାଏ କଥା । ସଇଁ ଘର ବାଡ଼ିରୁ ସଜନା ଶାଗ ଆଣି ନ ଭାଜିଲେ ସେ ସେମିତି ଉପାସ ରହିବ । ମାଆ ବିଚାରୀ କରେ କ’ଣ ? ଯେନତେନ ପ୍ରକାର ସଜନା ଶାଗ, ଭାତ କରି ପୁଅକୁ ଗଣ୍ଡାଏ ଖୋଇଦେଲେ ତାଙ୍କ ମନରେ ଶାନ୍ତି ଆସେ ।

 

ଘର ଚାରିପଟେ କିଆ ଓ ଝାଉଁବଣ । କ’ଣ ଟିକେ ଖଡ଼୍‍ଖାଡ଼୍ ହେଲେ ଖେତେରା ମାଆ ସ୍ଵର ଲମ୍ଵେଇ ଡାକ ଛାଡ଼ନ୍ତି, ହେଇ ବିଲୁଆ ଆସିଲା । ଚଞ୍ଚଳ ଖାଇଦେ । ମୋ ସୁନା ପୁଅଟା ଖାଇଦେବନି ଯେ ! ଖେତେରା ବେଶି ଅଝଟ ହେଲେ ମାଆ ତାକୁ ଡରାଇ ଡାକନ୍ତି, ଆରେ ବିଲୁଆ–ଆ । ଖେତେରାକୁ ନେ’–ନେ' । ଖା–ଖା' । ପ୍ରତିଦିନ ସକାଳୁ, ଦି’ପ୍ରହର ଓ ସଞ୍ଜବେଳେ ବିଲୁଆକୁ ଡାକିବା ଏକ ରକମ ତାଙ୍କର ଅଭ୍ୟାସରେ ପରିଣତ ହୋଇଯାଇଥିଲା ।

 

ଥରେ ଗୋଟିଏ ବିଲୁଆ ବଣରୁ ବାହାରି ଆସି ବୁଲୁ ବୁଲୁ ଗାଆଁ ଆଡ଼କୁ ଚାଲି ଆସିଲା । ଶେଷରେ ଏଇ ଛୋଟ କିଆ ଓ ବାଉଁଶଘେରା ବଣକୁ ଦେଖି ରହିଗଲା । କେତେବେଳେ କେମିତି ପଦାକୁ ବାହାରି ଛେଳି କିମ୍ବା ମେଣ୍ଢା ଛୁଆଙ୍କୁ ଖାଇଲା । ବଣକୁ ଫେରିଯିବାକୁ ଆଉ ମନ କଲା ନାହିଁ-। ଥରେ ପାଞ୍ଚଦିନ କାଳ ଲଗାଣ ବର୍ଷା ହେଲା । ଛେଳି, ମେଣ୍ଢା ଚରିବାକୁ ପଦାକୁ ବାହାରି ପାରିଲେ ନାହିଁ । ବିଳୁଆ କିଛି ଖାଇବାକୁ ନପାଇ ଭୋକରେ ସେମିତି ରହିଲା । ହେଲେ ସମ୍ଭାଳି ହେଉଛି କେଉଁଠି ?

 

ଦିନେ ସକାଳୁ ଶୁଣିବାକୁ ପାଇଲା ଖେତେରା ମା’ ଡାକ ଛାଡ଼ିଛି, ଆରେ ବିଲୁଆ–ଆ' । ଖେତେରାକୁ ନେ'–ନେ’ । ଖା' ଖା' । ବିଲୁଆକୁ ତ ଭାରି ଭୋକ ହେଉଥିଲା । ତା’ଛଡ଼ା ମଣିଷ ପିଲାର କଅଁଳିଆ ମାଉଁସ ଖାଇବାକୁ ମାଗଣା ମିଳୁଛି । ଏଭଳି ସୁଯୋଗ କିଏ ଛାଡ଼େ ? ବିଲୁଆ ଧୀରେ ଧୀରେ ତାଙ୍କ ଘର ଆଡ଼କୁ ଆଗେଇଲା । ମାତ୍ର ପୁଣି ଶୁଣିବାକୁ ପାଇଲା , ଯା’ରେ ବିଲୁଆ ଯା’ । ଖରାବେଳକୁ ପଛେ ଆସିବୁ । ଖେତେରା ମୋର ସବୁ ଚାଟିଚୁଟି ଖାଇଦେଲାଣି । ଆଉ ତୋର ବର୍ତ୍ତମାନ ଆସିବା ଦରକାର ନାହିଁ । ଏକଥା ଶୁଣି ବିଲୁଆ ଖେତେରା ମାଆ ଉପରେ ବଡ଼ ବିରକ୍ତ ହେଲା । କହିଲା ଆରେ ! ଏ ଲୋକଙ୍କ କଥାରେ ତ ବିଶ୍ଵାସ ନାହିଁ । ଖାଇବା କଥାରେ କିଏ କ’ଣ ଭଣ୍ଡାଭଣ୍ଡି କରେ ? ଭୋକରେ ମୋ ପେଟରେ ନିଆଁ ଜଳୁଛି । ଖାଇବାକୁ ଦେବ ବୋଲି ଡାକି ପୁଣି ମୁହେଁ ମୁହେଁ ନାହିଁ କରିଦେଉଛି । ହଉ, ଖରାବେଳକୁ ଆସିବାକୁ କହୁଛି ତ ! ଦେଖାଯାଉ । ସେତେବେଳ ଯାଏ କଷ୍ଟେ ମଷ୍ଟେ ରହିଗଲେ ମାଗଣାରେ ମଣିଷ ପିଲାର କଅଁଳିଆ ମାଉଁସ ମିଳିଯିବ । ଭାରି ସୁଆଦ ଲାଗିବ ସତେ ! ଏ ବର୍ଷାଟାରେ ଆଉ ଶିକାର ଖୋଜିବାକୁ ଭିଜି ଭିଜି ଯିବି କୁଆଡ଼େ ?

Image

ଖରାବେଳ ହେଲା । ଖେତେରାର ଭାତଖିଆ ବେଳ ହୋଇଗଲା । ମାଆ ତାକୁ କାଖେଇ ଗିନାରେ ଗିନାଏ ଭାତ, ଶାଗ ଚକଟି ଖୋଇ ଦେବାକୁ ବାହାରିଲେ । ଅଝଟିଆ ଖେତେରା ମୁହଁ ବୁଲେଇଦେଲା । ଜମା ଖାଇଲା ନାହଁ । ପୂର୍ବ ଅଭ୍ୟାସ ଅନୁଯାୟୀ ଖେତେରାକୁ ଡରାଇବା ପାଇଁ ମାଆ ପୁଣି ସ୍ଵର ଲମ୍ବେଇ ଦେଲେ – ଆ'ରେ ବିଲୁଆ ଆ' । ଖେତେରାକୁ ନେ’–ନେ' । ଖାଆ ଖାଆ । ଏକଥା ଶୁଣି ବିଲୁଆର ମନ କୁଣ୍ଢେ ମୋଟ ହୋଇଗଲା । ଯା' ହେଉ । ସ୍ତ୍ରୀ ଲୋକଟିର ଜବାବ ଠିକ୍‍ । ଖରାବେଳକୁ ଡାକିବ ବୋଲି କହିଥିଲା । ହେଇତ ଡାକିଲାଣି । ଏଥରକ ନିଶ୍ଚୟ ଖାଇବାକୁ ଦେବ । ଏହା ଭାବି ବିଲୁଆ ଧୀରେ ଧୀରେ ତାଙ୍କ ଘର ଆଡ଼କୁ ମୁହାଁଇଲା । ହେଲେ ଏ କ’ଣ ? ପୁଣି ଖେତେରା ମା' କହିଲା, ଯା’ରେ ବିଲୁଆ ଯା’ । ‘ଖେତ’ ମୋର ସୁନା ପିଲା । ସବୁ ଚାଟିଚୁଟି ଖାଇଦେଲାଣି । ତୋର ବର୍ତ୍ତମାନ ଆସିବା ଆଉ ଦରକାର ନାହିଁ । ଯା’ ପଛେ ସଞ୍ଜ ବେଳକୁ ଆସିବୁ ।

 

ମଲା, ଇଏ କିପରିକା କଥା ମ ? ମଣିଷଗୁଡ଼ାଙ୍କର ଜବାବରେ ଠିକ୍ ଠିକଣା ନାହଁ ହୋ-! ସକାଳେ ଦେବ ବୋଲି କହି ଫେରାଇ ଦେଇ କହିଲା ଖରାବେଳକୁ ଆ । ପୁଣି ଖରାବେଳକୁ ଡାକି କହୁଛି କଣନାଁ ସଞ୍ଜକୁ ଆ’ । ମୁଁ ଯେମିତି ଆଙ୍କ ବାଡ଼ି ତଳେ ଘର କରିଛି ? ଯେତେବେଳେ ଡାକିଲେ ସେତେବେଳେ ଚାଲିଆସିବି । ୟାପ୍–ଭୋକରେ ପେଟ କଅଁ କଅଁ ହେଲାଣି । ସେତ ଯେତେବେଳେ ହେଲେ ଖାଇବାକୁ ଦେବ । ଭୋକବେଳଟାରେ ଦେଲେ ସିନା କାମରେ ଲାଗନ୍ତା । ସକାଳ, ଖରାବେଳ, ସଞ୍ଜ କହି ଭଣ୍ଡେଇବାରେ କି ମୂଲ୍ୟ ଅଛି ଭଲା !! ହେଉ, ଯେତେବେଳେ ସଞ୍ଜକୁ ଆସିବାକୁ କହୁଛି ଟିକିଏ କଷ୍ଟ କରି ପଛେ ସଞ୍ଜଯାଏ ରହିଯିବା । ଆଉ ବିରକ୍ତ ହେବା ଉଚିତ ନୁହେଁ । ଯେତେବେଳେତ ହେଲେ ସେ ଦେବ । ନଦେଇ କୋଉ ସଇଁ ଘରକୁ ଯିବ ? ବର୍ତ୍ତମାନ ନ ହେଲା ନାହିଁ । ସଞ୍ଜ ଆଉ କେତେ ସମୟ କି ? ଏହା ଭାବି ବିଲୁଆ ନିଜ ମନକୁ ବୋଧ ଦେଇ ରହିଲା ।

 

ସଞ୍ଜ ହେଲା । ପଶ୍ଚିମ ଦିଗ ଈଷତ୍ ଲାଲ ରଙ୍ଗ ଧାରଣ କରି ସୂର୍ଯ୍ୟ ଦେବତା ମା’ କୋଳକୁ ଡେଇଁପଡ଼ି କୁଆଡ଼େ ଲୁଚିଗଲେ । ଚଢ଼େଇମାନେ କିଚିରି-ମିଚିରି ଶବ୍ଦ କରି ଖାଦ୍ୟ ଜିନିଷ ଧରି ବସାକୁ ବାହୁଡ଼ି ଆସିଲେ । ଠାକୁର ମନ୍ଦିରରେ ଶଙ୍ଖ, ଘଣ୍ଟା ବାଜି ସଞ୍ଜ ଦୀପ ଦିଆଗଲା । ଅନ୍ଧାର ଆଉ ଟିକେ ଗାଢ଼ ହୋଇ ଆସିଲା । ପୁଅ ଶୋଇ ପଡ଼ିବ ବୋଲି ମାଆ ଭୁଲାଇବା ପାଇଁ ଖେତେରାକୁ କୋଳରେ ବସେଇଲା ।

 

ଅଝଟିଆ ଖେତେରାର ସେଇ ଏକା ପାଠ । ଖାଇଲାବେଳେ ସେ ସହଜରେ ଖାଏ ନାହିଁ-। ମାଆକୁ ଦମେ ହଇରାଣ ନକଲା ଯାଏ ସେ ଛାଡ଼େ ନାହିଁ । ବାରଆଡ଼ୁ ବାର କଥା କହି ଶେଷରେ ସେହି ବିଲୁଆ କଥା କହିଲେ ଯାଇ ଖେତେରା ପାଟି ମେଲା କରେ I ଖାଇବାକୁ ସବୁବେଳେ ବଡ଼ ବିରକ୍ତ କରୁଥିବାରୁ ମାଆ ସେହି ପୁରୁଣା ନଥିଖୋଲି ଲମ୍ଵେଇ ଦିଅନ୍ତି ସ୍ଵର । ଆ'ରେ ବିଲୁଆ ଆ’-। ଖେତେରାକୁ ନେ’ ନେ’ । ଖାଆ–ଖାଆ । ବିଲୁଆ ତ ଏଇ ମଉକା ଖୋଜୁଥିଲା-। ସେ ଧୀରେଧୀରେ ତାଙ୍କ ଘର ଆଡ଼କୁ ମୁହାଁଇଲା । ଆଉ ଡାକ କିଛି ନ ଶୁଭିବାରୁ ସେ ଢିଅ ଉପରକୁ ଉଠି ବାଟ ଘର ଭିତରକୁ ପଶି କବାଟ ଫାଙ୍କରେ ପିଣ୍ଡାକୁ ଚାହିଁଲା । ଦେଖିଲା, ଖେତେରା ମା’ ତାକୁ କୋଳରେ ବସେଇ ଭାତ ଖୋଇବାରେ ଲାଗିଛନ୍ତି । ଖେତେରା ବି ବିଲୁଆ ଆସିବା ଭୟରେ ଟାଆକୁ ଟାଆକୁ କରି ଗୁଣ୍ଡା ପରେ ଗୁଣ୍ଡା ଚଲେଇବାରେ ଲାଗିଛି । ଏହା ଦେଖି ବିଲୁଆ ଭାବିଲା, ହଉ ପୁଅ ଖାଇଦେ । ଆଉ ଟିକକ ପରେ ତ ମୋ ପେଟକୁ ଯିବୁ ।

 

ଖେତେରା ତା’ ମାଆକୁ ଦୋତୁଣ୍ଡ କଥାରେ କହୁଥାଏ, “ବୋଉ ! ମୁଁ ତ ଛବୁ ଭାତ ଖାଇଲିନି । ତୁ କନ ଛତଲେ ମୋତେ ବିଲୁଆକୁ ଦେଇଦେବୁ ?’’ ମାଆ କହିଲେ, ଯାଉନୁ । କୋଉ ବିଲୁଆର ଏତେ ସାହସ ମଁ ? ମୋ ପୁଅକୁ ନେବ ? ପୁଅ ପଚାରୁଥାଏ–“ଯଦି ଛିଏ ଛତ ଛତିକା ଆଛିବ, ତୁ କନ କଲିବୁ ?’’ ମାଆ କହୁଥାଆନ୍ତି, ହାତରେ ମୋର ଏ ଲମ୍ବା ଗୋଜିଣାକୁ ଦେଖୁଛୁ ତ-? ଏଇଥିରେ ବାଡ଼େଇ ତା’ ଗୋଡ଼କୁ ଛୋଟା କରିଦେବିନି ଯେ, ସିଏ ଆସିବ ?

Image

ବିଲୁଆ ବାଟଘର ମେଲାରେ ବସି ଏକଥା ସବୁ ଶୁଣୁଥିଲା । କହିଲା–ଆରେ ! ଏ ଲୋକଙ୍କୁ ତ ଆଉ ବିଶ୍ଵାସ ନାହିଁ । ତାଙ୍କ କଥାରେ ବିଶ୍ଵାସ କରି ତିନି ତିନି ଥର ଆସି ଖାଲି ହାତରେ ଫେରିଲିଣି । ପୁଣି କ’ଣ ଗୋଡ଼ ଛୋଟା କରି ଘରେ ବସି ରହିବି ? ଘରେ ବସି ରହିଲେ ସତେ ଯେମିତି ଇଏ ମୋତେ ପ୍ରତିଦିନ ନେଇ ଖାଇବାକୁ ଦେଇ ଆସିବେ ? ଯାଃ ଯାଃ । ତୁମ କଥା ସବୁ ଜଣା ପଡ଼ିଲା । ଗୋଡ଼ ଛୋଟା ହେବାଯାଏ ଆଉ ରହିବି କାହଁକି ? ଯାଉଛି ମୋର ସେଇ ପୂର୍ବର ବଣକୁ ଫେରିଯାଇ ଆରାମରେ ଅଚିନ୍ତାରେ ହେଲେ ରହିବି । ଏହା କହି ବିଲୁଆ ସେଠାରୁ ଫେରିଆସି ସେଇ ରାତି ରାତି ବଣକୁ ଛୁ ।

☆☆☆

 

ଗଧିଆ ଓ କଟାସ

 

ଜଙ୍ଗଲଟିଏ । ସେହ ଜଙ୍ଗଲରେ ଅନେକ ଜୀବଜନ୍ତୁ ବାସ କରୁଥିଲେ । ସେ ଜଙ୍ଗଲର ରାଜା ଥିଲା ସିଂହ । ସିଂହ ବୁଢ଼ା ହୋଇଯିବାରୁ ଆଉ ରାଜ୍ୟଟାରେ ବୁଲାବୁଲି କରିପାରିଲା ନାହଁ । ତା’ର ଦୁର୍ବଳତା ଦେଖି ଅନ୍ୟ ଜୀବଜନ୍ତୁମାନେ ମଧ୍ୟ ତାକୁ ଆଉ ଭୟ କଲେ ନାହିଁ । କେହି ରାଜାଙ୍କ ଆଦେଶ ପାଳନ କଲେ ନାହିଁ । ରାଜାଙ୍କର ପୁଅ ଝିଅ କିଛି ନଥିଲେ । ତେଣୁ ରାଜାଙ୍କ ପରେ ସିଂହାସନରେ ବସିବାକୁ ଅନ୍ୟ ଜୀବମାନଙ୍କ ମଧ୍ୟରେ ଟଣାଓଟରା ଲାଗିଲା । ଆଖି ଆଗରେ ନିଜ ରାଜ୍ୟର ପତନ ଦେଖି ସିଂହ ସେହି ଚିନ୍ତାରେ ଶଯ୍ୟାଶାୟୀ ହୋଇ ଶେଷରେ ମୃତ୍ୟୁବରଣ କଲା ।

 

ରାଜ୍ୟରେ ଅରାଜକତା ଦେଖାଗଲା । କାହାରି କଥା କେହି ମାନିଲେ ନାହିଁ । ଯିଏ ଯାହାକୁ ପାରିଲା ସିଏ ତାକୁ ଗୋଡ଼େଇ ଖାଇଲା । ସବୁବେଳେ ରାଜ୍ୟର ଜୀବଜନ୍ତୁଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହେଲା । ବିଲୁଆ ବିଚରା ମନ୍ତ୍ରୀପଣ କରି କରି ଆସି ବୁଢ଼ା ହେଲାଣି । ରାଜ୍ୟଟା ଛାରଖାର ହୋଇଯାଉଥିବାର ଦେଖି ସେ ସବୁ ଜନ୍ତୁଙ୍କୁ ସଙ୍ଗଠିତ କଲା । ନୂଆ ରାଜାଟିଏ ବାଛିବା ପାଇଁ ସମସ୍ତଙ୍କୁ ବୁଝାଇଲା । ବିଲୁଆ କଥା ମାନି ଦିନେ ସବୁ ଜନ୍ତୁ ଏକାଠି ହେଲେ । କାହାକୁ ରାଜା କରିବେ, ସେମାନଙ୍କ ଭିତରେ ବିଚାର ପଡ଼ିଲା । କେତେକ ବାଘକୁ ରାଜା କରିବାକୁ ଅବଶ୍ୟ ପ୍ରସ୍ତାବ ଦେଇଥିଲେ । ମାତ୍ର ତାହା ବହୁ ଭୋଟରେ କାଟ ଖାଇଗଲା । କାରଣ ବାଘ ମାଂସ ଖାଇବା ଲୋଭରେ ଅନେକ ଜନ୍ତୁଙ୍କ ମାରି ନଷ୍ଟ କରିଦିଏ । ସେ ରାଜା ହେଲେ ନିରୀହ ଜୀବଙ୍କ ବଂଶ ବୁଡ଼ାଇ ଦେବ । ଶେଷରେ ଠିକ୍ ହେଲା ଗଧିଆ ରାଜା ହେବ ।

Image

କିନ୍ତୁ ଗୋଟିଏ ସର୍ତ୍ତ ରହିବ । ସେ ବଣର ଜୀବଜନ୍ତୁଙ୍କୁ ମାରି ମାଂସ ଖାଇବ ନାହିଁ । ଏଥିରେ ଗଧିଆ ସମ୍ମତ ହେବାରୁ ତାକୁ ରାଜା ଓ ବିଲୁଆକୁ ମନ୍ତ୍ରୀପଦ ମିଳିଗଲା । ଗଧିଆ ମାଂସ ଖିଆ ଛାଡ଼ି ରାଜ୍ୟ ଶାସନରେ ମନ ଦେଲା । ରାଜ୍ୟରୁ ଅରାଜକତା ଦୂର ହେଲା । ସମସ୍ତେ ସୁଖ ଶାନ୍ତିରେ ରହିଲେ, ଜଙ୍ଗଲରେ ଗଧିଆ ରାଜା ଠିକ୍‍ ରାମ ରାଜ୍ୟ ପ୍ରତିଷ୍ଠା କଲା ।

 

କିଛି ଦିନ ଗଲା । ଯାହାର ଯେଉଁ ବଦ୍‍ଗୁଣ ଥାଏ, ତାହା କ’ଣ ସେ ହଠାତ୍ ଛାଡ଼ିଦେଇ ପାରେ ? କେତେଦିନ କାଳ ମାଂସ ଟିକିଏ ପାଟିରେ ନ ବାଜିବାରୁ ଗଧିଆକୁ ଅରୁଚି ଧରିଲା । ପ୍ରତିଦିନ ନଅ ତରକାରୀ ଛଅଭଜା ହେଉଥିଲେ ମଧ୍ୟ ଗଧିଆକୁ କିଛି ରୁଚିଲା ନାହିଁ । ମାଉଁସକୁ ଝୁରି ଝୁରି ଗଧିଆ ଖୁବ୍ ଦୁର୍ବଳ ହୋଇଗଲା । କଟାସ କବିରାଜ, କୋକି ଡାକ୍ତର ଥରକୁ ଥର ଆସି ମଳ,ମୂତ୍ର, ରକ୍ତ ପରୀକ୍ଷା କରି ନାନା ଔଷଧ ଲେଖିଲେ । ହେଲେ କେଉଁଥିରେ ସ୍ଵାସ୍ଥ୍ୟର ସାମାନ୍ୟ ଉନ୍ନତି ମଧ୍ୟ ହେଲା ନାହିଁ । ଶେଷରେ ଗଧିଆ ରାଜା ତା’ ମନ୍ତ୍ରୀ ବିଲୁଆକୁ ଡାକି ନିଜର ମନକଥା ଜଣାଇଲା । ମାଂସ ବିନା ଯେ ତା’ର ଅବସ୍ଥା ଏପରି ହେଲାଣି, ସେ କଥା ସବୁ ବିଲୁଆକୁ ବୁଝାଇ କହିଲା । ବିଲୁଆ ବି କେଉଁ ଦିନଠାରୁ ମାଂସଖିଆ ଛାଡ଼ି ଦେଇଥିଲା । ରାଜା ପୁଣି ମାଂସ ଖାଇବା ପାଇଁ ଇଚ୍ଛା କରୁଥିବାର ଦେଖି ତା’ର ମଧ୍ୟ ମାଂସ ଖାଇବାକୁ ପ୍ରବଳ ଇଚ୍ଛା ହେଲା । ସେ କହିଲା, ମଣିମା ! ଏଇ ଛାର କଥା ପାଇଁ ଆପଣ ଏତେ ଚିନ୍ତା କରୁଛନ୍ତି ? ଆଜିଠାରୁ ମୁଁ ଲୁଚେଇ ଲୁଚେଇ ଗୋଟିଏ ଗୋଟିଏ ଶିକାର ଆଣିବି । ଆପଣ ଖାଇ ଆଗ ସୁସ୍ଥ ହୁଅନ୍ତୁ । ତା’ପରେ ଜୀବଜନ୍ତୁଙ୍କ କଥା ବୁଝା ହେବ । ବିଲୁଆ ଏହା କହି ପ୍ରତିଦିନ କିଛି କିଛି ଠେକୁଆ, କୁଟୁରା, ବଣକୁକୁଡ଼ା ଧରି ଆଣିଲା । ଗଧିଆ ଲୁଚେଇ ଖାଇଲା । ବିଲୁଆ ମଧ୍ୟ ଖାଇଲା । ସେମାନଙ୍କର ମାଂସ ପୁଣି ଏମିତି ପାଟିରେ ଲାଗିଗଲା ଯେ, ପୂର୍ବକଥା ଭୁଲି ସେ ଦୁହେଁ ନିର୍ଭୟରେ ପ୍ରତିଦିନ ଶିକାର କରି ଖାଇଲେ ।

 

ଏଣେ ଦିନକୁ ଦିନ ବଣରୁ ଜୀବଜନ୍ତୁଙ୍କ ସଂଖ୍ୟା ଧୀରେ ଧୀରେ କମିବାରେ ଲାଗିଲା । ଅନ୍ୟ ଜୀବମାନେ ବିଚାର କଲେ ରାଜ୍ୟରେ ତ ଜୀବବଧ ନିଷେଧ କରାଯାଇଛି, ତେବେ ଜୀବଙ୍କ ସଂଖ୍ୟା ଦିନକୁ ଦିନ କମୁଛି କାହିଁକି ? ନିଶ୍ଚୟ କିଏ ଜୀବଙ୍କୁ ମାରି ଲୁଚେଇ ଖାଉଛି । ସମସ୍ତେ ସେହିଦିନୁ ସତର୍କ ହୋଇ ରହିଲେ । ଦେଖିଲେ ବୁଢ଼ା ମନ୍ତ୍ରୀ ବିଲୁଆ ସଞ୍ଜ ହେଲେ ଗାତରୁ ଆସି ଚୁପ୍‍କିନା ଗୋଟିଏ ଗୋଟିଏ ଠେକୁଆ କୁଟୁରାଙ୍କୁ ଧରି ରାଜାଙ୍କ ପାଖକୁ ନେଉଛି । ଦୁହେଁ ଆରାମରେ ରାତ୍ରିଭୋଜନ ସାରି ଶୋଉଛନ୍ତି । କିପରି ଏ ରାଜା, ମନ୍ତ୍ରୀ ଦୁହିଁଙ୍କୁ ଗାଦିରୁ ତଡ଼ିବେ, ଏହି ଚିନ୍ତାରେ ଅନ୍ୟ ଜନ୍ତୁମାନେ ରହିଲେ ।

 

ବହୁ ଦିନରୁ ତ ଗଧିଆ ମାଂସ ଛାଡ଼ି ଦେଇଥିଲା । ଖାଦ୍ୟ କମି ଯିବାରୁ ପେଟ ଶୁଖି ଯାଇଥିଲା । ଲୋଭରେ ପଡ଼ି ଗୁଡ଼ାଏ ଲେଖାଏଁ ମାଂସ ନିତି ଖାଇଲା । ହେଲେ ତାହା ସହଜରେ ହଜମ ହେଉଛି କେଉଁଠୁ ? ରାଜାଙ୍କୁ ଧରିଲା ଡାଇରିଆ । ଝାଡ଼ା ଦୌଡ଼ି ଦୌଡ଼ି ନୟାନ୍ତ । ଯେତେପ୍ରକାର ଔଷଧ ଖାଇଲେ ମଧ୍ୟ ତାହା କାଟୁ କଲା ନାହିଁ । ମନ୍ତ୍ରୀ ବିଚରା ରାଜାଙ୍କ ଆରୋଗ୍ୟ ପାଇଁ ପ୍ରାଣପଣେ ଲାଗିପଡ଼ି ଚାରିଆଡ଼େ ବୁଲାବୁଲି କରି ତୁଟୁକା ତୁଟୁକି ଓଷଦ ଆଣି ଖୋଇ ଖୋଇ ଥେୟା । କୌଣସି ଔଷଧରେ ରାଜାଙ୍କ ଦେହ ଭଲ ହେଲା ନାହିଁ ।

 

ଅନ୍ୟ ଜୀବମାନେ ରାଜାଙ୍କର ଏଭଳି ଅବସ୍ଥା ଯେ କାହିଁକି ହୋଇଛି, ତାହା ଜାଣିଗଲେ-। ଦୁନିଆରେ ତ ପୁଣି ଧର୍ମ ଅଛି ? ଗୋଟିଏ କଥା କହି ଯିଏ ଆଉ ଗୋଟିଏ କଥା କରେ, ସେ ଏଭଳି ଦଣ୍ଡ ପାଇବ ନାହିଁ ତ ଆଉ କିଏ ପାଇବ ?

 

ଶେଷରେ ବଣର ଅନ୍ୟ ଜନ୍ତୁମାନେ କବିରାଜ କଟାସକୁ ଗଧିଆ ପାଖକୁ ପଠାଇଲେ । କିଛି ଗୋଟାଏ ଉପାୟ କରି ଗଧିଆକୁ ରାଜ୍ୟରୁ ତଡ଼ିବା ପାଇଁ ସମସ୍ତେ ଲାଗି ପଡ଼ିଲେ । କବିରାଜ ହିସାବରେ କଟାସବୁ ରାଜ ଉଆସକୁ ଯିବାରେ କିଛି ଅସୁବିଧା ହେଲା ନାହିଁ । ସେ ଯାଇଁ କହିଲା, ମଣିମା ! ଏଇ ସାମାନ୍ୟ ରୋଗକୁ ଆପଣ ଏତେ ଚିନ୍ତାରେ ପଡ଼ି ଏତେ ପଇସା ଖର୍ଚ୍ଚ କଲେଣି ? ବିନା ପଇସାରେ ପରା ଏ ରୋଗ ଭଲ ହେବ । ମୋ ସାଙ୍ଗରେ ଟିକେ ବଣର ଶେଷ ମୁଣ୍ଡକୁ ଆସନ୍ତୁ । ସେଠାରେ ଯେଉଁ ଝରଣା ବହି ଯାଉଛି, ସେଇଠିକୁ ଗଲେ ଆପଣଙ୍କ ରୋଗର ପ୍ରତିଷେଧ ଔଷଧ ପାଇପାରିବେ ।

 

ଗଧିଆ ତ ବହୁତ ଯନ୍ତ୍ରଣା ଭୋଗୁଥିଲା । କଟାସ କଥାରେ ସେ ସଙ୍ଗେ ସଙ୍ଗେ ରାଜି ହୋଇଗଲା । ବିଲୁଆକୁ ଏକଥା କହିବାକୁ ସେ ଆଉ ସମୟ ପାଇଲା ନାହିଁ । ଶୀଘ୍ର କିପରି ରୋଗରୁ ମୁକ୍ତି ପାଇବ, ଏହି ଚିନ୍ତାରେ ଥିବାରୁ ସଙ୍ଗେ ସଙ୍ଗେ କଟାସ ସହିତ ଜଙ୍ଗଲ ଶେଷ ଆଡ଼କୁ ଥିବା ଝରଣା ଆଡ଼କୁ ଯିବା ପାଇଁ ବାହାରି ପଡ଼ିଲା । ରାଜା ଓ କବିରାଜ ଦୁହେଁ ନାନାଆଡ଼ୁ ଗପସପ ହୋଇ ଚାଲିଥାଆନ୍ତି । ଗଧିଆ ବିଚରା ଦୁର୍ବଳ ହୋଇଥିଲେ ମଧ୍ୟ ଭଲ ହେବା ଆଶାରେ ଜୀବନ ବିକଳରେ କଟାସ ସହିତ ଚାଲିଥାଏ । କିଛି ସମୟ ପରେ ସେମାନେ ଝରଣା ନିକଟରେ ପହଞ୍ଚିଗଲେ ।

 

ପୁନେଇଁ ରାତି । ରୂପାଥାଳି ପରି ଜହ୍ନ ଆକାଶରେ ପଡ଼ିଥାଏ । ଚାରିଆଡ଼ ଖୁବ୍ ସୁନ୍ଦର ଦିଶୁଥାଏ । ଜହ୍ନର ପ୍ରତିବିମ୍ଵ କୁଳୁକୁଳୁ ବହିଯାଉଥିବା ଝରଣା ଜଳରେ ପଡ଼ି ଅପୂର୍ବଶ୍ରୀ ଧାରଣ କରିଛି । କୂଳରେ ଥାଇ ପାଣି ଭିତରେ ଦିଶୁଥିବା ଗୋଲ ଜହ୍ନକୁ ଦେଖାଇ କଟାସ କହିଲା, ମଣିମା-! ସେହି ଯେଉଁ ଧଳା ଗୋଲ୍‍ ଜିନିଷଟି ସେଠାରେ ଦେଖୁଛନ୍ତି, ସେହି ହେଉଛି ଆପଣଙ୍କ ରୋଗର ଅବ୍ୟର୍ଥ ଔଷଧ । ଏକାପାନକେ ସବୁ ଶେଷ ହୋଇଯିବ । ଆପଣ ଆଉ ବିଳମ୍ବ ନକରି ଡେଇଁପଡ଼ି ତାକୁ ଏକାଥରେ ଟାଆକୁ କିନା ଗିଳି ଦିଅନ୍ତୁ ।

Image

ଗଧିଆ ତ ରୋଗ ଯନ୍ତ୍ରଣାରେ ବହୁଦିନ ହେଲା ଛଟପଟ ହେଉଥିଲା । ସେ ଆଉ ଭଲମନ୍ଦ କଥା କିଛି ବିଚାର ନକରି ଝରଣା କୂଳରୁ ପାଣି ଭିତରକୁ ଫାଆକୁ କିନା ଡେଇଁପଡ଼ିଲା । ମାତ୍ର ପାଣି ଚହଲି ଯିବାରୁ ଧଳା ଜିନିଷଟି କୁଆଡ଼େ ଅଦୃଶ୍ୟ ହୋଇଗଲା । ଗଧିଆ ପାଣିରେ ବୁଡ଼ାବୁଡ଼ି କରି ଯେତେ ଖୋଜିଲା, ଆଉ ତାକୁ ପାଇଲା ନାହିଁ । ଜଳ ସ୍ରୋତ ପ୍ରଖର ଥିବାରୁ ଦୁର୍ବଳ ଗଧିଆ ସେଥିରେ ପହଁରି ନ ପାରି ସେହି ସ୍ରୋତରେ ଭାସି ଭାସି କୁଆଡ଼େ ଯେ ଗଲା, ଆଉ ତାକୁ କେହି ଦେଖିବାକୁ ପାଇଲେ ନାହିଁ । କଟାସ ନିଜର ବୁଦ୍ଧି ବଳରେ ଅନ୍ୟ ଜୀବମାନଙ୍କୁ ରକ୍ଷାକରି ପାରିଥିବାରୁ ତାକୁ ସମସ୍ତେ ପ୍ରଶଂସା କଲେ ।

☆☆☆

 

ଭାଲୁ ମଉସାକୁ କମ୍ପଜର

 

ଦିନେ ମାଙ୍କଡ଼ଟିଏ ଡିଆଁ ଡେଇଁ କରି ଯାଉଁ ଯାଉଁ ବଣର ଶେଷ ଆଡ଼କୁ ଥିବା ପାହାଡ଼ ନାଶି ପାଖରେ ପହଞ୍ଚିଲା । ସେଠାରେ ଦେଖିଲା ଏକ ସୁନ୍ଦର ଫଳ ବଗିଚା । ଗଛଗୁଡ଼ିକ ଶାଗୁଆ ପତ୍ରରେ ଭରିଛି । ସେଓ, ନାସ୍ପାତି, କମଳା, ପିଜୁଳି, ଆମ୍ବ, ପଣସ, ଡାଳିମ୍ବ, ଜାମୁ, ଜାମୁଡୋଳ ଇତ୍ୟାଦି ଫଳ ଗଛସାରା ଲଦି ହୋଇଛି । ଲାଲ୍‍ ଗୁଲ୍ ଗୁଲ୍‍ ସେଓ, ପାଚିଲା ଆମ୍ବଗୁଡ଼ିକ ଓହଳି ଖୁବ୍ ସୁନ୍ଦର ଦିଶୁଛି । ଏସବୁ ଦେଖି ମାଙ୍କଡ଼ର ଆନନ୍ଦ ଦେଖେ କିଏ ? ମନ ଖୁସିରେ ଏ ଡାଳରୁ ସେ ଡାଳକୁ ଡେଇଁ ପୁଳାଏ ଫଳ ତୋଳି ଖାଇଲା । ଶୋଷ ହେବାରୁ ପାଖରେ ବହି ଯାଉଥିବା ଝରଣାରୁ ଯାଇ ପେଟେ ପାଣି ପିଇଲା ।

Image

ଏତେ ବଡ଼ ଫଳ ବଗିଚାଟାରେ ତା’ଛଡ଼ା ଆଉ କେହି ନାହାଁନ୍ତି । ମାଙ୍କଡ଼ ଭାବିଲା, ଗଛମାନଙ୍କରେ ଯେତେ ଫଳ ଫଳିଛି, ସେ ତାକୁ ବର୍ଷ ବର୍ଷ ଧରି ଖାଇଲେ ମଧ୍ୟ ସରିବ ନାହିଁ । ସେ ଆଉ ବଣ ଭିତରକୁ ଫେରିବ କାହିଁକି ? ଏକଥା ଅନ୍ୟମାନଙ୍କୁ କହିବ କାହିଁକି ? ବଗିଚାଟା ପୂରା ତା’ର ନିଜର । ହେଲେ ସବୁବେଳେ ଗୋଟାଏ ଜାଗାରେ ଏକୁଟିଆଟା କ’ଣ ବସି ରହି ହେବ ? କାହା ସହିତ ପଦେ ଦୁଃଖସୁଖ ହେବାକୁ କିମ୍ବା ବିପଦ ଆପଦରେ ଟିକେ ସାହାଭରସା ହେବାକୁ ତା’ର ତ ସାଥୀଟିଏ ନିହାତି ଦରକାର । ତା’ ଜାତିଭାଇଙ୍କୁ ସାଥୀ କଲେ କଥାଟା ଆସ୍ତେ ଆସ୍ତେ ପ୍ରଘଟ ହୋଇଯିବ । ସମସ୍ତେ ଆସି ଫଳ ଖାଇ ଅଳ୍ପ ଦିନରେ ଶେଷ କରିଦେବେ । ନାଁ, ସେ ନିଜ ଜାତିଭାଇଙ୍କୁ ଏକଥା କହିବ ନାହିଁ । ବହୁ ଚିନ୍ତା କରି ଭାବିଲା, ଭାଲୁଟା ତ ଫଳ ଖାଏ ନାହିଁ । ତାକୁହିଁ ସାଙ୍ଗ କଲେ ଠିକ୍‍ ହେବ । ମୁଁ ଟିକେ କୁଆଡ଼େ ବୁଲାବୁଲି କରିବାକୁ ଗଲେ ସେ ମୋ ଫଳ ବଗିଚା ଜଗିବ । ତା’ଛଡ଼ା ଭାଲୁ ତ ଦିନକୁ ବହୁତ ଥର ପାଣି ପିଏ । ତାକୁ ଏହି ଝରଣାଟିକୁ ଦେଖାଇ ଦେଲେ ସେ ବଣରେ ଶିକାର କରି ଖାଇସାରି ଆସି ଏଇଠୁ ପାଣି ପିଇ ତୃଷା ମେଣ୍ଟାଇବ-। ଦୁହେଁ ଗଛ କୋରଡ଼ ଓ ଡାଳରେ ସାଙ୍ଗ ହୋଇ ଶୋଇ ଦୁଃଖସୁଖ ହେବୁ । ଆଉ ଚିନ୍ତା କ’ଣ-?

 

ଏହା ଭାବି ମାଙ୍କଡ଼ଟି ଅତି ସତର୍କତାର ସହ ଯାଇ ଭାଲୁ ପାଖରେ ପହଞ୍ଚିଲା । କହିଲା: ମାଉସା ତୁମେ ମୋତେ ପିଲାଦିନେ ନିଜର କୋଳରେ କାଖରେ ବସେଇ କେତେ ଗେଲ କରିଛ ବୋଲି ମୋ ମାଆ କହୁଥିଲା । ବଡ଼ ହେଲି । ହେଲେ ଦିନେ ତୁମର ଟିକେ ଉପକାର କରିପାରିଲି ନାହିଁ । ଆଜି ତୁମର ଏକ ଉପକାର କରିବି ବୋଲି ଭାବି ଏଠାକୁ ଧାଇଁ ଆସିଛି । ହେଲେ ମୋ ରାଣ । ତୁମେ ଏକଥା କାହା ଆଗରେ କହିବ ନାହିଁ । ଭାଲୁ କହିଲା ପୁତୁରା ! କି ଉପକାର କରିବୁ ବୋଲି ଭାବୁଛୁ ? ମୋତେ ଟିକିଏ ଫିଟେଇ କହୁନୁ । ମୁଁ କ’ଣ କାହାକୁ କହି ଦେଉଛି ? ମାଙ୍କଡ଼ କହିଲା ମଉସା ! ତୁମେ ପାଣି ଟୋପାଏ ପିଇବା ପାଇଁ ନିତି କିଭଳି ହନ୍ତସନ୍ତ ହେଉଛ, ତାହା ମୁଁ ନିଜ ଆଖିରେ ଦେଖୁଛି । ତୁମ ପାଇଁ ଅଳ୍ପଦୂର ପାହାଡ଼ ନାଶି ପାଖରେ ଏକ ସୁନ୍ଦର ଝରଣା ଠିକ୍ କରି ଆସିଛି । ଅନ୍ୟ କୌଣସି ଜନ୍ତୁ ଏହାର ଟେର୍ ପାଇପାରି ନାହାନ୍ତି । ତୁମେ ବଣରୁ ଶିକାର କରି ଖାଇସାରିଲା ପରେ ଆଉ ପାଣି ପାଇଁ କିଛି ଚିନ୍ତା କରିବ ନାହିଁ । ଚୁପ୍‍କିନା ସେହି ଝରଣା ନିକଟକୁ ଚାଲିଯିବ । ମନ ଇଚ୍ଛା ପେଟେ ପାଣି ପିଇବ । ସେ ଝରଣାଟି ଜାଣ ପୂରା ତୁମ ନିଜର । କେହି ପଦେ କହିବାକୁ ନାହିଁ ।

Image

ତା’ଛଡ଼ା ମୋର ବି ସେଠାରେ ଗୋଟିଏ ଫଳ ବଗିଚା ଅଛି । ମୁଁ ସେହିଠାରେ ରହୁଛି । ଏକୁଟିଆଟା ରହିବି କ’ଣ ? ତୁମେ ଗଲେ ଭାରି ମଜା ହୁଅନ୍ତା । ଦୁହେଁ ଦୁଃଖ ସୁଖ ହୋଇ କେଇଟା ବର୍ଷ ଆନନ୍ଦରେ କଟେଇ ଦିଅନ୍ତେ ।

 

ମାଙ୍କଡ଼ର ଏଭଳି ଏକ ପ୍ରସ୍ତାବରେ ଭାଲୁ ମଉସା ରାଜି ହୋଇଗଲେ । ସନ୍ଧ୍ୟା ହୋଇଗଲା । ପକ୍ଷୀମାନେ ନିଜ ନିଜ ବସାକୁ ଫେରି ଆସିଲେ । ଅନ୍ୟାନ୍ୟ ଜୀବମାନେ ସେମାନଙ୍କ ଘରକୁ ସଂଗ୍ରହ କରି ଆଣିଥିବା ଖାଦ୍ୟ ସହ ଫେରିଆସି ତାଙ୍କ ପିଲାମାନଙ୍କୁ ଖୁଆଇଲେ । ବାପା, ମାଆଙ୍କୁ ଦେଖି ପିଲାମାନଙ୍କର ଆନନ୍ଦ କହିଲେ ନସରେ ସବୁ ଜୀବଜନ୍ତୁଙ୍କ ଘର ଆନନ୍ଦ ଉଲ୍ଲାସରେ ଉଛୁଳି ପଡ଼ିଲା । ଏହି ମଉକା ଦେଖି ମଉସା-ପୁତୁରା ଦୁହେଁ ଚମ୍ପଟ-ଛୁ ।

 

ମାଙ୍କଡ଼ ନେଇ ଭାଲୁକୁ ଝରଣାଟି ଦେଖାଇ ଦେଲା । କାଚକେନ୍ଦୁ ପରି ପାଣି କଳକଳ ନାଦ କରି ବହି ଯାଉଥିବା ଦେଖି ଭାଲୁ ଖୁବ୍ ଖୁସି ହୋଇଗଲା । ମନଭରି ପେଟେ ପାଣି ପିଇଗଲା-। ମାଙ୍କଡ଼କୁ ମନେମନେ ଖୁବ୍ ପ୍ରଶଂସା କଲା । ଦୁହେଁ ସାଙ୍ଗ ହୋଇ ସେଇଠାରେ ରହିଗଲେ-

 

ମାଙ୍କଡ଼ ଝରଣାଟିକୁ ଜଗିଲେ ଭାଲୁ ବଣ ଭିତରକୁ ଶିକାର କରିବାକୁ ଯାଏ । ଭାଲୁ ଆସି ମାଙ୍କଡ଼ର ଫଳ ବଗିଚାକୁ ଜଗିଲେ ମାଙ୍କଡ଼ ଟିକିଏ ବାହାରକୁ ବୁଲାବୁଲି କରିବାକୁ ଯାଏ । ଏହିପରି ଦୁହେଁ ଦୁହିଁଙ୍କ ଉପରେ ନିର୍ଭର କରି ଚଳନ୍ତି । ମାଙ୍କଡ଼ର ଫଳ ବଗିଚାକୁ ଶୁଆ, ବାଦୁଡ଼ି ଆସିଲେ ଭାଲୁ ହାଉଁ-ହାଉଁ କରି ଗଛ ଡାଳକୁ ହଲାଇ ହୁରୁଡ଼ାଇ ଦିଏ । ସେହିପରି ହରିଣ, କୁଟୁରା, ଠେକୁଆ, ଇତ୍ୟାଦି ଭାଲୁର ଝରଣାକୁ ପାଣି ପିଇବାକୁ ଆସିଲେ ମାଙ୍କଡ଼ ଖିଁ-ଖିଁ ହୋଇ ତାଙ୍କୁ ଦାନ୍ତ ନିକୁଟି କାମୁଡ଼ି ଗୋଡ଼ାଏ । ରାତିରେ ମାଙ୍କଡ଼, ଭାଲୁ, ପାଖାପାଖି ଶୋଇ ନାନାଆଡ଼ୁ ନାନା କଥା ଆଲୋଚନା କରନ୍ତି ।

 

ବିଲୁଆ ଏକ ଚତୁର ପ୍ରାଣୀ । ସେ ଖଞ୍ଜରେ ଖଞ୍ଜରେ ଛପି ଛପି ଆସି ଭାଲୁ ଓ ମାଙ୍କଡ଼ର ଏଭଳି ରୀତିନୀତି ଦେଖିଲା । ଭାବିଲା ଏ ଦୁଇଟା ତ ବଣରୁ ପଳାଇ ଆସି ଏଠି ଖୁବ୍ ଆରାମରେ ଅଛନ୍ତି । ସ୍ଵାର୍ଥପରଗୁଡ଼ାକ । ଜାତିଭାଇଙ୍କ କଥା ଟିକିଏ ହେଲେ ଭାବୁ ନାହାନ୍ତି ହୋ ! ଏମାନଙ୍କୁ ପାନେ ନଦେଲେ ହେବ ନାହିଁ ।

 

ଦିନେ ବିଲୁଆ କ’ଣ କଲା ନା ମାଙ୍କଡ଼ ନଥିଲା ବେଳେ ତା’ ବଗିଚାରେ ପଶିଲା । ଏହା ଦେଖି ଭାଲୁ ଦୌଡ଼ି ଆସିଲା । ବିଲୁଆ ଏ ଗଛ ମୂଳରୁ ସେ ଗଛ ମୂଳକୁ ଖାଲି ଦୌଡ଼ା ଦୌଡ଼ି କଲା-। ଭାଲୁ ବି ତା’ ପଛରେ ଦୌଡ଼ି ଦୌଡ଼ି ଥକି ପଡ଼ିଲା । ହେଲେ ବିଲୁଆକୁ ଧରି ପାରିଲା ନାହିଁ-। ରାଗରେ ଗଛ ଡାଳକୁ ଧରି ହଲାଇ ପକାଇଲା । ପାଚିଲା ଫଳଗୁଡ଼ା ଝଡ଼ି ତଳେ ଗଦା ହୋଇଗଲା-। ବିଲୁଆ ଏଇ ମଉକାରେ ବଣକୁ ଯାଇ ବାଦୁଡ଼ି, ଶୁଆ, ମାଙ୍କଡ଼ ଇତ୍ୟାଦିଙ୍କୁ ଡାକି ଆଣିଲା-। ଗୋଟାଏ ପାଚିଲା ପଣସକୁ ଭାଲୁ ମୁହଁ ପାଖକୁ ପକାଇ ଦେଲା । ଭାଲୁ ପାଚିଲା ପଣସ ବାସନାରେ ଖୁବ୍ ଖୁସି ହୋଇଯାଇ ତାକୁ ଚିରି ଆମ୍ପୁଡ଼ି ବିଦାରି ଖାଇବାରେ ଲାଗିଲା । ତା’ ଦେହର ଲୋମଗୁଡ଼ିକ ପଣସ ଅଠାରେ ବୋଳି ହୋଇ ମେଞ୍ଚା ମେଞ୍ଚା ହୋଇ ଓହଳି ପଡ଼ିଲା । ଅନ୍ୟ ପକ୍ଷୀ ଓ ମାଙ୍କଡ଼ମାନେ ମନ ଆନନ୍ଦରେ କଞ୍ଚା, ପାଚିଲା ଫଳ ଖାଇଲେ । ଏତିକିରେ ମଧ୍ୟ ବିଲୁଆର କାମ ସରିଲା ନାହିଁ ।

Image

ମାଙ୍କଡ଼ ମନରେ ଭାଲୁ ପ୍ରତି ଅବିଶ୍ଵାସ ଭାବ ଆଣିବା ପାଇଁ ସେ ଖୋଜି ଖୋଜି ଯାଇଁ ତା’ ପାଖରେ ପହଞ୍ଚିଲା । କହିଲା ଭାଲୁ ମଉସାକୁ ପରା ନିଜର ମଉସା ବୋଲି ମନେ କରିଥିଲୁ? ଯା–ଦେଖିବୁ । ତାରି ଆଗରେ କିପରି ତୋର ଫଳ ବଗିଚାଟି ଉଜୁଡ଼ି ନାରଖାର ହୋଇଗଲାଣି । ସେ ମଧ୍ୟ ନିଜେ ତୋତେ ଲୁଚାଇ ତୋ ବଗିଚାରୁ ଫଳ ଖାଇବାରେ ଲାଗିଛି ।

 

ମାଙ୍କଡ଼ ଡେଇଁ ଡେଇଁ ଅଳ୍ପ ସମୟ ଭିତରେ ତା’ ଫଳ ବଗିଚାରେ ଆସି ପହଞ୍ଚିଗଲା । ନିଜ ଆଖିରେ ଦେଖିଲା ଭାଲୁ ତା’ ଅନୁପସ୍ଥିତରେ କିପରି ଫଳ ଖାଇବାରେ ଲାଗିଛି । ତା’ଛଡ଼ା ଅନ୍ୟ ମାଙ୍କଡ଼, ଶୁଆ ଓ ବାଦୁଡ଼ିମାନଙ୍କୁ ଡକାଇ ତା’ର ସଞ୍ଚିତ ଫଳକୁ ଖୁଆଇବାରେ ଲାଗିଛି । ସେ ଆଉ ଭାଲୁକୁ ବିଶ୍ଵାସ କରିପାରିଲା ନାହିଁ । ଫଳ ବଗିଚାଟା ତ ପୂରା ଉଜୁଡ଼ି ସାରିଲାଣି । ଆଉ ଭାଲୁ ସାଙ୍ଗରେ କଳି କରିବ କାହିଁକି ? ତାକୁ କିପରି ବୁଦ୍ଧି ଶିଖାଇବ ଏହି କଥା ମନେମନେ ଭାବିଲା ।

 

ତା’ ପରଦିନ ମାଙ୍କଡ଼ ଆହୁରି ବନ୍ଧୁତ୍ଵ ଜମେଇ କହିଲା, ମଉସା ! ଯାହା ହେବାର ଥିଲା ତ ହେଲା । ଆଉ ମନଦୁଃଖ କରି କି ଲାଭ ? ତୁମ ଲୋମ ସାରା ପଣସ ଅଠାଗୁଡ଼ା ଲାଗି ଖାଲି ମେଞ୍ଚା ମେଞ୍ଚା ହୋଇ ଓହଳିଛି । ଝରଣା କୂଳକୁ ଚାଲ । ପାଣିରେ ଦେହଟାକୁ ପୂରା ସଫା କରିଦେଇ ଆସିବ । ଭାଲୁକୁ ମଧ୍ୟ ବଡ଼ ଅଡ଼ୁଆ ଲାଗୁଥିଲା । ସେ ମାଙ୍କଡ଼ କଥାରେ ରାଜି ହୋଇ ତାକୁ ସାଥୀରେ ନେଇ ଝରଣା ନିକଟକୁ ଗଲା ।

 

ଦେହରେ ପାଣି ପକେଇ ଅଠା ଛଡ଼େଇବାରେ ଲାଗିଲେ । ମାତ୍ର ପଣସ ଅଠା କି ସହଜରେ ଛାଡ଼େ? ମାଙ୍କଡ଼ କହିଲା ମଉସା ! ସେ ଅଠା ଏପରି ଛାଡ଼ିବ ନାହିଁ । ତୁମେ ପାଣି ଭିତରକୁ ଯାଇ କିଛି ଦିନ ପାଣିରେ ଦେହଟାକୁ ବୁଡ଼ାଇ ରଖ । ଅଠାଗୁଡ଼ା ଭେଦିଗଲେ ଉପରକୁ ଆସିବ । ତା’ପରେ ମୁଁ ସେଗୁଡ଼ାକୁ ଦାନ୍ତରେ ରାମ୍ପି ସଫା କରିଦେବି । ତା’ କଥାରେ ଭାଲୁ ପାଣି ଭିତରକୁ ଯାଇ ଦେହକୁ ପୂରା ବୁଡ଼ାଇ ରଖିଲା । ଶୀତଳ ପାଣିରେ ଦେହ ଥରି ଯାଉଥିଲେ ମଧ୍ୟ ଅଠା ସଫା ହେବା ଆଶାରେ କଷ୍ଟେ ମଷ୍ଟେ ଗୋଟିଏ ଦିନ ପାଣି ଭିତରେ ରହି ଉପରକୁ ଆସି କହିଲା, ପୁତୁରା ! ଦେଖିଲୁ ଅଠା ଭେଦି ଗଲାଣି କି ନାହିଁ । ମାଙ୍କଡ଼ ଦେଖି କହିଲା, ନାହିଁ ମଉସା ! ଇଏତ କିଛି କୁଆଡ଼ୁ ହୋଇନାହିଁ । ଆଉ ଦିନେ ପାଣି ଭିତରେ ରୁହ ।

Image

ଏହିପରି ଭାବରେ ସାତଦିନ କାଳ ମାଙ୍କଡ଼, ଭାଲୁ ମଉସାକୁ ପାଣିରେ ବୁଡ଼ାଇ ରଖିଲା-। ବରଫ ଭଳି ଥଣ୍ଡା ପାଣିରେ ଭାଲୁର ଦେହ କୋଲ ମାରି ଯାଉଥାଏ । ହେଲେ ମାଙ୍କଡ଼ ଉପରେ ଜଗି ବସି କହୁଥାଏ, ମଉସା ! ଏତେ କଷ୍ଟ କଲଣି । ଆଉ ଟିକେ କଷ୍ଟ କଲେ ପୂରା ସଫା ହୋଇଯିବ । ସାତଦିନ ଶେଷକୁ ଭାଲୁ ଆଉ ଥୟ ଧରି ରହିପାରିଲା ନାହିଁ । ଓଲଟି ମାଙ୍କଡ଼ ଉପରେ ବିରକ୍ତ ହୋଇ କହିଲା, ମୁଁ ଜରରେ କମ୍ପୁଛି । ଆଉ ତୁ ମଜାମାରି ହସି ହସି କହୁଛୁ ଆଉ ଟିକେ ପାଣି ଭିତରେ ରୁହ ବୋଲି । ଦୁଷ୍ଟ ମର୍କଟ । ଯାଉଛୁ ନାଁ ଏଠୁ । ଏହା କହି ଭାଲୁ ଜରରେ କମ୍ପି କମ୍ପି ମାଙ୍କଡ଼କୁ ଗୋଡ଼ାଇ ଆସିଲା । ମାଙ୍କଡ଼ ଡେଇଁ ଡେଇଁ ବଣ ଭିତରକୁ ଛୁ ।

 

ସେହିଦିନଠାରୁ ଭାଲୁକୁ ପାଳିଜର ହେଉଛି । ଦେହରୁ ଆଦୌ ଥଣ୍ଡା କମୁନାହଁ । ପ୍ରତି ସାତଦିନରେ ଥରେ ଗୁରୁବାରକୁ ଗୁରୁବାର ସେ ଜରରେ ପଡ଼ୁଛି । ତା’ପାଇଁ ଓଷଦ କ’ଣ ଟିକେ ବୁଝାବୁଝି କରି ଆଣି ତାକୁ ଦେଉନ ।

☆☆☆

 

ବିଲୁଆର ଅଙ୍ଗୁରଖିଆ

 

ଜଙ୍ଗଲଟିଏ । ସେହି ଜଙ୍ଗଲରେ କେତେ ଜାତିର ପଶୁ ପକ୍ଷୀ ବାସ କରୁଥାଆନ୍ତି । ଫଳାହାରୀ ପଶୁ, ପକ୍ଷୀମାନେ ଜଙ୍ଗଲରେ ଥିବା ଗଛମାନଙ୍କରୁ ଫଳ ସଂଗ୍ରହ କରି ଖାଇ ବଞ୍ଚନ୍ତି । ମାଂସାଶୀ ପ୍ରାଣୀମାନେ ଜଙ୍ଗଲ ଭିତରେ ବୁଲି ବୁଲି ନିରୀହ ଜୀବମାନଙ୍କୁ ଶିକାର କରି ଖାଇ ଚଳନ୍ତି-। ହେଲେ ମଧ୍ୟ ସବଳ ଓ ଦୁର୍ବଳ ଜୀବମାନେ ଜଙ୍ଗଲରେ ଏକାଠି ବାସ କରନ୍ତି । ଯେଝା ହିସାବରେ ଯେଝାଏ ଚଳନ୍ତି ।

 

ଗୋଟିଏ ଗଛରେ ଶୁଆଟିଏ ବସା ବାନ୍ଧି ରହୁଥାଏ । ସେହି ଗଛର କୋରଡ଼ରେ ଗୁଣ୍ଡୁଚି ମୂଷାଟିଏ ମଧ୍ୟ ଥାଏ । ପଦାକୁ ଲମ୍ବି ଯାଇଥିବା ଡାଳରେ ମହୁମାଛି ଦଳେ ମହୁ ଫେଣା କରି ରହିଥାଆନ୍ତି । ସମସ୍ତେ, ଦିନସାରା ଜଙ୍ଗଲଯାକ ବୁଲାବୁଲି କରି ନିଜ ନିଜର ଖାଦ୍ୟ ସଂଗ୍ରହ କରନ୍ତି-। ସଞ୍ଜବେଳକୁ ସମସ୍ତେ ବସାକୁ ଫେରି ଆସନ୍ତି । ରାତିରେ ସେମାନଙ୍କ ମଧ୍ୟରେ ନାନା ବନ୍ଧୁତ୍ଵପୂର୍ଣ୍ଣ ଆଲୋଚନା ହୁଏ । ସମସ୍ତେ ସେଠାରେ ମିଳମିଶି ସୁଖରେ ଚଳନ୍ତି ।

 

ଥରେ ଶୁଆଟି କେଉଁଠୁ ପେଟେ ଅଙ୍ଗୁର ଖାଇ ପେନ୍ଥାଏ ଅଙ୍ଗୁର ଥଣ୍ଟରେ ଧରି ଆସିଲା-। ଗୁଣ୍ଡୁଚିମୂଷାକୁ ତାହା ଖାଇବାକୁ ଦେଲା । ଗୁଣ୍ଡୁଚି ଗଛ ଡାଳରେ ବସି ଖାଇଲା ବେଳେ ସେଥିରୁ ମଞ୍ଜିଟିଏ ତଳକୁ ଗଳିପଡ଼ି କିଛି ଦିନ ପରେ ସେଥିରୁ ଗଛଟିଏ ହେଲା । ଗୁଣ୍ଡୁଚି ନିଇତି ଗଛ ମୂଳରେ ପାଣି ଦେଲା । ଗଛଟି କ୍ରମଶଃ ବଢ଼ି ନଟେଇଲା । ଶୁଆ ଅଙ୍ଗୁର ଲତାଟିକୁ ଥଣ୍ଟରେ ତଳୁ ଟେକି ଗଛ ଦେହରେ ମଡ଼ାଇ ଦେଲା । ଆଶ୍ରା ପାଇ ଅଙ୍ଗୁର ଲତା ବଢ଼ି ସେହି ଗଛର ଡାଳସାରା ଭର୍ତ୍ତି ହୋଇଗଲା । ଫୁଲ ଫୁଟିଲା । ମହୁମାଛିମାନେ ଆଉ କୁଆଡ଼କୁ ନଯାଇ ସେହି ଫୁଲରୁ ମହୁ ସଂଗ୍ରହ କଲେ । ତା’ପରେ ପେନ୍ଥା ପେନ୍ଥା ହୋଇ ଗଛସାରା ଫଳ ଫଳି ତଳକୁ ଓହଳିଲା । ଶୁଆ, ଗୁଣ୍ଡୁଚିଙ୍କର ଆନନ୍ଦ ଦେଖେ କିଏ ? ଅଙ୍ଗୁର ପାଚିବାରୁ ତାକୁ ମନଖୁସିରେ ଖାଇ ଏ ଡାଳରୁ ସେ ଡାଳକୁ ଖାଲି ବୁଲାବୁଲି କଲେ ।

 

ସେହି ବାଟ ଦେଇ ଦିନେ ବିଲୁଆଟିଏ ଯାଉଥିଲା । ଖୁବ୍ ଖରା ହୋଇଥିବାରୁ ଶୋଷରେ ତା’ ତଣ୍ଟି ଶୁଖିଯାଉଥାଏ । ଟିକେ ଦମ୍ ମାରିବା ପାଇଁ ସେ ଯାଇଁ ସେହି ଗଛଟିକୁ ଆଉଜି ଟିକିଏ ଘୁମେଇ ପଡ଼ିଲା । ଶୁଆଟିଏ ଡାଳରେ ବସି ଅଙ୍ଗୁର ଖାଉଥିଲା । ସେଥିରୁ କେତୋଟି ଅଙ୍ଗୁର ଚୋପା ତଳକୁ ଖସି ବିଲୁଆ ଉପରେ ପଡ଼ିବାରୁ ତା’ ନିଦ ଭାଙ୍ଗିଗଲା । ସେ ଉପରକୁ ଚାହିଁ ଦେଖିଲା, ଶୁଆଟିଏ ଅଙ୍ଗୁର ଖାଇବାରେ ଲାଗିଛି । ଗଛ ଡାଳରେ ପେନ୍ଥା ପେନ୍ଥା ଅଙ୍ଗୁରମାନ କେତେ ଓହଳିଛି । ବିଲୁଆ ଉପରେ ଖସି ପଡ଼ିଥିବା ଅଙ୍ଗୁର ଚୋପା କେତୋଟିକୁ ସେ ଗୋଟେଇ ନେଇ ଶୁଙ୍ଘିଲା । ଖୁବ୍ ଭଲ ବାସୁଛି ତ ! ଯେଉଁ ଫଳର ଚୋପା ଏପରି ମିଠା ମିଠା ବାସୁଛି, ସେ ଫଳ କିପରି ସୁଆଦିଆ ହୋଇ ନଥିବ? ଏହା ଭାବି ବିଲୁଆର ଅଙ୍ଗୁର ଖାଇବାକୁ ଭାରି ମନହେଲା-

 

ତାକୁ କେଉଁ ଗଛ ଚଢ଼ିଆସେ ଯେ, ସେ ଚଢ଼ିଯାଇଁ ଖାଇବ? ତଳେ ରହି ଗଛ ଡାଳକୁ ମୁହଁ ବଢ଼ାଇଲା । ମାତ୍ର ସେ କେଉଁ ଛୋଟ ଗଛର ଡାଳ ହୋଇଛି ଯେ ସେ ପର୍ଯ୍ୟନ୍ତ ତା’ ମୁହଁ ପାଇଯିବ ! ଖାଲି ଅଙ୍ଗୁର ପେନ୍ଥା ପାଖକୁ ମୁହଁ ଟେକି ଡିଆଁ ମାରିବାରେ ଲାଗିଲା । ମାତ୍ର ଅଙ୍ଗୁର ପେନ୍ଥା ଦେହରେ ତା’ ମୁହଁ ଥରେହେଲେ ବାଜିଲା ନାହିଁ । ଡେଇଁ ଡେଇଁ ଝାଳ, ନାଳ ଆଣ୍ଠିଏ ହେଲା ପଛେ ଅଙ୍ଗୁର ଗୋଟିଏ ହେଲେ ଖାଇପାରିଲା ନାହିଁ । ଗଛ ଡାଳ ଉପରେ ବସି ଶୁଆ ଓ ଗୁଣ୍ଡୁଚି ବିଲୁଆର ଏ ଅପଚେଷ୍ଟା ଦେଖି ମନେମନେ ଦମେ ହସିଲେ ।

Image

ଗୁଣ୍ଡୁଚି କହିଲା ବିଲୁଆ ନନା ! ତୁମେ ଆଗରୁ କେଉଁ ନାଚ ପାର୍ଟିରେ ଥାଇ ନାଚ ଶିଖୁଥିଲ କି ? ଏଠାରେ ଏପରି ଡିଆଁ ଡେଇଁ କରି ନାଚୁଛ କାହିଁକି ? ଗୁଣ୍ଡୁଚି ମୂଷା ପରି ସାମାନ୍ୟ ଜୀବଟାଏ ଏପରି ଅପମାନିଆ କଥା କହୁଥିବାର ଶୁଣି ବିଲୁଆ ଦେହରେ ଚାଉଁକିନା ଲାଗିଗଲା । ସେ କହିଲା ଉପରେ ରହି ଏତେ ଆଡ଼ା କାଢ଼ି କ’ଣ ଗପୁଛୁ ? ତଳକୁ ଆସିଲୁ ତୋ ମଜାଟାକୁ ବାହାର କରିଦିଏ । ଏକଥା ଶୁଣି ଶୁଆ କହିଲା, ଗୁଣ୍ଡୁଚି ଭାଇ ! ଯାଉନ ତାଙ୍କଠାରୁ ଟିକେ ନାଚ ଶିଖି ଆସିବ । ଅଙ୍ଗୁର କୋଳି କିପରି ସୁଆଦିଆ ଲାଗେ ବୁଝି ଆସିବ ।

 

ବିଲୁଆକୁ ଏକଥା ଗୁଡ଼ା ଖୁବ୍ ଅପମାନ ଲାଗିଲା । ସେ ଭାବିଲା ଏଇ ସାମାନ୍ୟ ଅଙ୍ଗୁର ପାଇଁ ଏ ଛୋଟ ଜୀବଗୁଡ଼ା ଯାହା ଅପମାନ ଦେଲେ, ତାହା ଭୁଲିବା କଥା ନୁହେଁ । ଏମାନଙ୍କୁ କଳେବଳେ କୌଶଳେ ଅପମାନିତ କରିବି । ଅଙ୍ଗୁର ପାଇଁ ଏମାନଙ୍କ ମନରେ ଯେଉଁ ଗର୍ବ ଅଛି, ତାହା ନ ଭଙ୍ଗିବା ପର୍ଯ୍ୟନ୍ତ ତାଙ୍କୁ ଛାଡ଼ିବି ନାହିଁ । ଆ-ରେ ! ଏମାନେ ମୋତେ ସାମାନ୍ୟ ମଣୁଛନ୍ତି ! ଆଚ୍ଛା, ହଉ ପୁଅ ଥାଅ । ପରେ ଦେଖା ହେବ ଏହା କହି ବିଲୁଆ ଗଛ ପାଖ ଛାଡ଼ି ଜଙ୍ଗଲ ଆଡ଼କୁ ମୁହାଁଇଲା । ଶୁଆ ଓ ଗୁଣ୍ଡୁଚି ହସି ହସି ଗଡ଼ିଗଲେ ।

Image

ସେମାନଙ୍କୁ କିପରି ପାନେ ଦେବ ବିଲୁଆ ସବୁବେଳେ ସେହି ଓର ଉଣ୍ଡୁଥାଏ । ଦିନେ ଯାଉଁ ଯାଉଁ ଭାଲୁ ସହିତ ତା’ର ଦେଖାହେଲା । ଭାଲୁଟି ଗଛ ପାଖରେ ଶୋଇ ଜରରେ କମ୍ପୁଥାଏ । ବିଲୁଆ ପାଖକୁ ଯାଇ କହିଲା, ମଉସା, କ’ଣ ହୋଇଛି ! ତୁମେ ଏପରି ଥରୁଛ କାହିଁକି ? ତୁମର କ’ଣ ହୋଇଛି ? ଭାଲୁ କହିଲା, କହ ନାହିଁରେ ପୁତୁରା, ସାତ ଦିନ ହେଲା କମ୍ପ ଜରରେ ପଡ଼ିଛି । ଯେତେ ଯୁଆଡ଼ୁ ଔଷଧ ଆଣି ଖାଇଲିଣି । କେଉଁଥିରେ ଟିକିଏ ହେଲେ କମୁନାହିଁ । ବିଲୁଆ ସଙ୍ଗେ ସଙ୍ଗେ ଭାଲୁ ଦେହରେ ହାତ ମାରି କହିଲା, ମଉସା ! ସତେତ । ତୁମ ଦେହରେ ଭୀଷଣ ତାତି । ଧାନ ପକେଇଦେଲେ ଖଇ ଫୁଟିଯିବ । ଶହେଦଶ ଡିଗ୍ରୀ ଯାଏ ଜରର ମିଟର ଉଠିଗଲାଣି । କୋଉ ଔଷଧ ବଟିକା କ’ଣ ଆଉ କାଟୁ କରିବ ? ହେଲେ ଏହା ପାଇଁ ଗୋଟିଏ ଫଳ ଅଛି । ତାକୁ ଖାଇଲେ ଏକାଥରେ ଜର ତା’ ଘର ଧରିବ । ଭାଲୁ କହିଲା, ପୁତୁରା ! ତୁ ଆଜିଯାଏ ମୋତେ ଟିକେ ଏକଥା କହୁନାହୁଁ ? ହଉ ଚାଲିଲୁ, ସେ ଫଳ କେଉଁଠି ଅଛି ଟିକେ ମୋତେ ଦେଖାଇଦେବୁ । ଖାଇଲେ ଯଦି ଜରଟା ଓହ୍ଲେଇଯାଏ, ତେବେ ତୋର କେତେ ମଙ୍ଗଳ ହେବ । ବିଲୁଆ କହିଲା, ମଉସା ! ଆଉ ସେକଥା ପଚାରୁଛ କ’ଣ ? ମୋ ସାଙ୍ଗରେ ବର୍ତ୍ତମାନ ଚାଲ । ମୁଁ ଫଳ ଗଛପାଖକୁ ତୁମକୁ ନେଇଯିବି । ହେଲେ ମୁଁ ତ ଫଳ ତୋଳି ତୁମକୁ ଦେଇପାରିବି ନାହଁ । ତୁମେ ଟିକିଏ କଷ୍ଟ କରି ଗଛରେ ଚଢ଼ି ଫଳ ତୋଳି ଖାଇବ । ମୋତେ ପେନ୍ଥାଏ ଦି’ ପେନ୍ଥା ଦେବ । ଏକଥାରେ ଭାଲୁ ରାଜି ହେବାରୁ ଦୁହେଁ ସାଙ୍ଗ ହୋଇ ଯାଇ ସେହି ଗଛ ମୂଳରେ ହାଜର ହୋଇଗଲେ ।

 

ବିଲୁଆ ତଳେ ରହି ଗଛ ଡାଳରେ ଓହଳିଥିବା ଅଙ୍ଗୁର ପେନ୍ଥାକୁ ଭାଲୁକୁ ଦେଖାଇଦେଲା । ଭାଲୁତ ଦେହ ଭଲ ପାଇଁ ଓଷଦ ଫଳ ଖାଇବାକୁ ଯାଉଛି । ତା’ର ଆଉ କେଉଁ କଥାରେ ମନ ନଥାଏ । ହାଉଁ ହାଉଁ ହୋଇ ଗଛ ମୂଳକୁ ଧରି ଚଢ଼ିବାକୁ ଚେଷ୍ଟା କଲା । ହେଲେ ଗଛଟାକୁ ତା’ର କୁଣ୍ଢ ପାଇଲା ନାହିଁ । ଯେଉଁ ଡାଳଟି ପଦାକୁ ଟିକେ ଲମ୍ବି ଯାଇଥିଲା ଓ ସେଥିରେ ମହୁମାଛିମାନେ ମହୁ ଫେଣା କରି ଓହଳିଥିଲେ ସେହି ଡାଳଟି ଭାଲୁ ଆଖିରେ ପଡ଼ିଲା । ଭାଲୁ ସେହି ବାଟଦେଇ ଚଢ଼ି ଆସିବାକୁ ମନକରି ଆଗ ଯାଇଁ ଡାଳଟିକୁ ଦୁଇ ହାତରେ ଧରି ଓହଳି ପଡ଼ି ଉପରକୁ ଉଠିଗଲା । ଦେଖିଲା, ଗୋଟିଏ ବଡ଼ ଅଙ୍ଗୁର ପେନ୍ଥା ଓହଳିଛି । ଭାବିଲା, ଛୋଟ ପେନ୍ଥାଗୁଡ଼ା ଖାଇଲେ ଜର ଭଲ ହେବାକୁ ଡେରି ହେବ । ଏହି ବଡ଼ ପେନ୍ଥାଟିକୁ ଖାଇଲେ ଜର ଏକାଥରେ ଥପ୍‍କିନା ରହିଯିବ । ଏହା ଭାବି ମହୁଫେଣାଟିକୁ ଦୁଇ ହାତରେ ଜାବୁଡ଼ି ଧରି ଭିଡ଼ି ଆଣି ତଳକୁ ବିଲୁଆ ପାଖକୁ ଡେଇଁ ପଡ଼ିଲା । ଆଉ ଭାଲୁ ଓ ବିଲୁଆ ଯାଆନ୍ତି କୁଆଡ଼େ ? ମହୁଫେଣା ଦେହରୁ ମହୁମାଛି ଦଳ ବାହାରି ବିଲୁଆ ଓ ଭାଲୁର ଦେହ, ମୁହଁ ସିଇଁ ହୋଇଯାଇ ବିନ୍ଧିବାରେ ଲାଗିଗଲେ । ଯନ୍ତ୍ରଣାରେ ଛଟପଟ ହୋଇ ଭାଲୁ କହୁଥାଏ, ପୁତୁରା ! ଭଲ ଓଷଦ ଦେଇଛୁରେ !! ମୋ କମ୍ପଜର କୁଆଡ଼େ ଛାଡ଼ି ପଳେଇଗଲାଣି । ଗଛ ଡାଳ ଉପରେ ଶୁଆ ଓ ଗୁଣ୍ଡୁଚି ଥାଇ କହୁଥାଆନ୍ତି, ବିଲୁଆ ନନା ! ଅଙ୍ଗୁର କୋଳି ଖଟା ନାଁ ମିଠା ? ବିଲୁଆ ତ ଏଣେ ମହୁମାଛିଙ୍କ ନାହୁଡ଼ର ମାଡ଼ ସହିପାରୁ ନଥାଏ । ହୁକେହୋ–ହୁକେହୋ କହି ଜଙ୍ଗଲ ଆଡ଼କୁ ମାରିଲା ଡିଆଁ । ଶୁଆ ଓ ଗୁଣ୍ଡୁଚି ଭାବିଲେ ବିଲୁଆ କହୁଛି ଅଙ୍ଗୁର କୋଳିଗୁଡ଼ା ଖଟା ।

Image